ବୈପାରିଗୁଡା: ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ ହେଁ କୌଣସି ଦଳ ନିଜ ବିପକ୍ଷ ଦଳ ବିରୁଦ୍ଧରେ ଖୋଲାଖୋଲି ଭାବରେ ଆକ୍ଷେପ କରିବା କିମ୍ବା ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବାକୁ ଦେଖିବାକୁ ମିଳିନଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଠାରେ ଗତକାଲି ପ୍ରଚାର ସମୟରେ ଜନୈକ ସରପଞ୍ଚ ପ୍ରାର୍ଥୀ ଯେଉଁଭଳି ଆଚରଣ ଦେଖେଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଘଟଣା ଅନୁଯାୟୀ, ଗତକାଲି ଚିପାକୁର ଠାରେ ସାପ୍ତାହିକ ହାଟ ପାଳି ରହିଥିବାରୁ ବିଭିନ୍ନ ଦଳ ତଥା ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପଞ୍ଚାୟତର ଗ୍ରାମାଞ୍ଚଳରୁ ଆସିଥିବା ଲୋକମାନଙ୍କ ନିକଟରେ ପହଞ୍ଚି ଅନୁରୋଧ କରିଥିଲେ। ଏହି ସମୟରେ ଚିପାକୁର ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରୁଥିବା ଉଜେ ଖିଲ ମାଇକ୍ ଯୋଗେ ନିଜକୁ ଭୋଟ ଦେବା ପାଇଁ ନିବେଦନ କରୁଥିଲେ। ହଠାତ୍ ତାଙ୍କ ପ୍ରଚାର କରିବାର ଢଙ୍ଗ ବଦଳି ଯାଇଥିଲା। ସେ ଆକ୍ରମଣାତ୍ମକ ଭଙ୍ଗୀରେ କଂଗ୍ରେସ ଦଳର ସମାଲୋଚନା କରିବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ।
କଂଗ୍ରେସ ଦଳ ନିଜ ଶାସନ କାଳରେ ଗରିବ, ଆଦିବାସୀ ଏବଂ ହରିଜନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି କହିବା ସହ ବାରମ୍ବାର ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ହାଟକୁ ଆସିଥିବା ଲୋକେ ଉଜେଙ୍କ ଏପ୍ରକାର ଭାଷାର ପ୍ରୟୋଗ ଦେଖି ପ୍ରଥମେ କିଛି ବୁଝି ପାରିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କ୍ଷୁବ୍ଧ ହୋଇଥିଲେ। ବାରମ୍ବାର ଗୋଟିଏ ଶବ୍ଦକୁ ଦୋହରାଇବା ଏବଂ ଗାଳିଗୁଲଜ କରିବା ଅଭିଯୋଗ ଆଣି କଂଗ୍ରେସ ତରଫରୁ ବ୍ଲକ ସଭାପତି ଗୈାରଚନ୍ଦ୍ର ପାତ୍ର ବୈପାରିଗୁଡା ଥାନାରେ ଉଜେ ଖିଲଙ୍କ ବିରୁଦ୍ଧରେ ଏତଲା ଦାଏର କରିଥିବା ଜଣାପଡିଛି। ତେବେ ସବୁଠୁ ବଡ଼ କଥା ହେଉଛି, ସେ ବିଜେଡ଼ିର ପତାକା ଲାଗିଥିବା ପ୍ରଚାର ଗାଡ଼ି ଉପରେ ଠିଆ ହୋଇ ଭାଷଣ ଦେବା ସହ ଅପଶବ୍ଦ ବ୍ୟବହାର କରିଥିଲେ। ଏହି ପ୍ରଚାର ଗାଡ଼ିରେ ଜୋନ୍-୨ର ଜିଲ୍ଲା ପରିଷଦ ପ୍ରାର୍ଥିନୀ କମଳା ନାୟକ ଆସି ପ୍ରଚାର କରିଥିଲେ ଏବଂ ଉଜେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବୋଲି ଜଣାପଡିଛି।