ଏସ୍. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ଅଇଁଲାମୁଣ୍ଡା ଦାଦର ଗାଁରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ବିଲରେ ନଡ଼ା ପୋଡ଼ିବା ସମୟରେ ନିଆଁ ବ୍ୟାପୀ ନିକଟରେ ଥିବା ନୀଳା ବିଭାର ଓ ଚକାମନ ବଗର୍ତ୍ତିଙ୍କ ୪ ବଖରା ସଂପୂର୍ଣ୍ଣ ଜଳିଯାଇଛି। ଫଳରେ ଉଭୟଙ୍କ ପରିବାର ବାସହରା ହୋଇ ପଡ଼ିଛନ୍ତି।
ସୂଚନା ମୁତାବକ, ଶନିବାର ପୂର୍ବାହ୍ଣରେ ଅଇଁଲାମୁଣ୍ଡା ଦାଦରସ୍ଥିତ ଚାଷ ଜମିରେ କେହିଜଣେ ଚାଷୀ ନଡ଼ା ପୋଡ଼ିବାକୁ ନିଆଁ ଲଗାଇଥିଲେ। ଧୀରେ ଧୀରେ ନିଆଁ ଚାଷଜମି ନିକଟରେ ଚାଳଛପର ଘର କରି ରହୁଥିବା ନୀଳା ଏବଂ ଚକାମନଙ୍କ ଘରକୁ ଲାଗିଥିଲା। ନିଆଁ ଲାଗିବା ସମୟରେ ଘରେ କେହିନଥିଲେ। ନୀଳାଙ୍କ ପରିବାର ଲୋକେ ନିକଟସ୍ଥ ନାଳାକୁ ଗାଧୋଇବାକୁ ଯାଇଥିଲେ। ଚକାମନ ରାସନ ଆଣିବାକୁ ଯାଇଥିଲେ। ସମସ୍ତେ ଘରକୁ ଫେରିବା ପରେ ନିଆଁ ଲାଗିଥିବା ଦେଖି ନିକଟସ୍ଥ କୁଅରୁ ପାଣି ଆଣି ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ ସେମାନେ ଘରୁ କୌଣସି ସାମଗ୍ରୀ କାଢ଼ି ପାରି ନଥିଲେ। ଜୀବନ ବଞ୍ଚାଇବା ସହ ଗୋରୁଙ୍କୁ ଉଦ୍ଧାର କରି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ଉଭୟଙ୍କ ଚାରିବଖରା ଘର ସହ ଘର ପାଖରେ ଥିବା ଅଧିକାରୀ ପଧାନ ଏବଂ ପ୍ରସାଦୀ ପଧାନଙ୍କ ୨ଟି ପାୱାରଟିଲର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
/sambad/media/post_attachments/wp-content/uploads/2022/06/201cea2a-eb34-4b0c-b338-6c93e9c4f538-1024x727.jpg)
ସେହିପରି ଘରେ ଥିବା ରାସନ ସାମଗ୍ରୀ, ଲୁଗାପଟା, ରାସନ କାର୍ଡ ତଥା ଅନ୍ୟାନ୍ୟ କାଗଜପତ୍ର ସହ ପ୍ରାୟ ୧୭ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି ବୋଲି ନୀଳା ଓ ଚକାମନ ପ୍ରକାଶ କରିଛନ୍ତି। ଘଟଣାସ୍ଥଳକୁ ଭଲ ରାସ୍ତା ନଥିବାରୁ ରାମପୁର ଦମକଳ ଗାଡ଼ି ପହଞ୍ଚି ନପାରି ଅଧାବାଟରୁ ଗାଡ଼ିଛାଡ଼ି ଦମକଳ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବାକୁ ପ୍ରାୟସ କରିଥିଲେ। କିନ୍ତୁ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇସାରିଥିଲା। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଚାଷ ଜମିରେ ନଡ଼ା ପୋଡୁଥିବା ଚାଷୀଙ୍କ ଖାମଖିଆଲି ଯୋଗୁ ଦୁଇଟି ଗରିବ ପରିବାର ବାସହରା ହୋଇଛନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/9d57b70d-7745-4246-bba8-ab7a57cd0cec.jpg)