ସପିଂ ମଲ୍‌ରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କଲା ଦମକଳ ବାହିନୀ

ବ୍ରହ୍ମପୁର: ଟାଉନ୍‌ ଥାନା ଅନ୍ତର୍ଗତ ଖଲାସି ସାହି ଟ୍ରେକର୍‌ ଷ୍ଟାଣ୍ଡ ନିକଟରେ ଥିବା ଏକ ସପିଂ ମଲ୍‌ରେ ଆଜି ସଂଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସପିଂ ମଲ୍‌ର ଦ୍ଵିତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ସଂଧ୍ୟାରେ ମେକ୍ସ ମାର୍ଟ ନାମକ ସପିଂ ମଲ୍‌ରେ କିଛି ଗ୍ରାହକ ଥିବା ବେଳେ ଦ୍ଵିତୀୟ ମହଲାରେ ହଠାତ୍‌ କୌଣସି ମତେ ନିଆଁ ଲାଗି ଯାଇଥିଲା। ଏହା ଦେଖି ତୁରନ୍ତ ମଲ୍‌କୁ ଖାଲି କରାଯାଇଥିଲା। ବ୍ରହ୍ମପୁର ଫାୟାର୍‌ ଷ୍ଟେସନ୍‌ ଅଫିସର୍‌ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ।

ଦ୍ଵିତୀୟ ମହଲାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ସେଠାରେ ଧୂଆଁ ଭର୍ତ୍ତି ରହିଥିବାରୁ କର୍ମଚାରୀଙ୍କୁ କିଛିଟା ଅସୁବିଧା ହୋଇଥିଲା। କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ କିଛି ଘରକରଣା ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି। ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ନେଇ ଦମକଳ ବାହିନୀ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର