ବୈପାରିଗୁଡା: ଅଗ୍ନିକାଣ୍ଡ ଘଟି ସବୁକିଛି ପୋଡ଼ି ପାଉଁଶ ହୋଇଗଲା। ସାରା ପରିବାର ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର ତଲା ଗ୍ରାମରେ। ଗତକାଲି ସକାଳ ପ୍ରାୟ ନଅଟା ସମୟରେ ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବା ଯୋଗୁଁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି।
ଘଟଣା ଅନୁଯାୟୀ ତଲା ଗ୍ରାମର କମନ୍ତ ଚଲାଣ ଏବଂ ତାଙ୍କ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବାହାରକୁ ଯାଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ କମନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଘର ଭିତରେ ଥିବା ସାତ ବସ୍ତା ଧାନ, ଗୋଟିଏ ବସ୍ତା ମାଣ୍ଡିଆ ସହ ଆସବାବପତ୍ର ଏବଂ ବାଇଶି ଶହ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି।
ଅସହାୟ ଅବସ୍ଥାରେ କମନ୍ତ ଚଲାଣଙ୍କ ପରିବାର ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ଖବର ପାଇ ମହୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନସାଇ ପୂଜାରୀ, ନରସିଂହ ହରିଜନ, କୁଶ ମାଝୀ ଏବଂ ହରିହର ହରିଜନ ଗୋଟିଏ ପକେଟ୍ ଚାଉଳ ଦେଇଥିବା ବେଳେ ବୈପାରିଗୁଡା ରାଜସ୍ୱ ନିରୀକ୍ଷକ ବିନୋଦ ବେହେରା ଏବଂ ସହକାରୀ ରାଜସ୍ୱ ନିରୀକ୍ଷକ କୈଳାସ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ପାଲ ଯୋଗାଇ ଦେଇଛନ୍ତି। କମନ୍ତ ଚଲାଣଙ୍କୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।