ବାମରା: ଏମ୍ସିଏଲ୍ରୁ କୋଇଲା ବୋଝେଇ ଯାଉଥିବା ଏକ ମାଲବାହୀ ଟ୍ରେନ୍ର ୨ଟି ବଗିରେ ନିଆଁ ଲାଗିଥିବା ଦେଖାଯାଇଥିଲା। ବାମରା ରେଳ ଷ୍ଟେସନଠାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ ମଙ୍ଗଳବାର ଏମ୍ସିଏଲ୍ ସରଡେଗାଠାରୁ ଏହି କୋଇଲା ବୋଝେଇ ଟ୍ରେନ ସନ୍ତାଲଡ଼ିହି ଥର୍ମାଲ ପାୱାର ଷ୍ଟେସନକୁ ଯାଉଥିଲା।
ଟ୍ରେନ୍ର ବଗି ସଂଖ୍ୟା ୮ ଓ ୧୬ ରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ର ଗାର୍ଡ ପିକେ ରାମ ବାମରା ଷ୍ଟେସନ ମ୍ୟାନେଜର୍ଙ୍କୁ ସୂଚନା ଦେଇଥିଲେ। ଷ୍ଟେସନ୍ ମ୍ୟାନେଜର ଟିକନାଥ ନାଏକ ଉକ୍ତ ଟ୍ରେନ୍କୁ ବାମରା ଷ୍ଟେସନ ସାଇଡିଂରେ ଛିଡା କରିବା ସହିତ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଷ୍ଟେସନ୍ରେ ପହଞ୍ଚି ଟ୍ରେନ୍ର ଉଭୟ ବଗିରୁ ନିଆଁ ଲିଭାଇଥିବା ଜଣାପଡ଼ିଛି। ଷ୍ଟେସନ୍ରେ ଥିବା ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ୍ ତାର କାରଣରୁ ନିଆଁ ଲିଭାଇବାରେ ସମସ୍ୟା ଉପୁଜୁଥିଲା। ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାୟ ୨ ଘଣ୍ଟାର ଚେଷ୍ଟା ପରେ ସମ୍ପୂର୍ଣ୍ଣ ନିଆଁ ଲିଭାଇ ଟ୍ରେନ୍କୁ ତାର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ଜଣାପଡିଛି। ନିଆଁ ଲିଭାଇବାରେ ଅଗ୍ନିଶମ ବିଭାଗର ଏଲ୍ଏଫ୍ଏମ ନୀଳାମ୍ବର ପଟ୍ଟା, ନବୀନ କିଷାନ, ଦିବାକର କାଲୋ, ବିଜୟ ରାଉତ, ରାଜୁ ମାଝୀ, ଓ ମହତୋ ବାର୍ଳା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।