ମାଲବୋଝେଇ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଲା, ନିଆଁକୁ ଆୟତ୍ତ କଲେ କର୍ମଚାରୀ

ଯାଞ୍ଚ କଲା ଟେକ୍ନିକାଲ୍ ଟିମ

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନକୁ ପ୍ରବେଶ କରୁଥିବା ଏକ ମାଲବାହୀ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଛି। ଟ୍ରେନ୍ ଡ୍ରାଇଭର ଓ କର୍ମଚାରୀ ନିଆଁଲିଭା ଯନ୍ତ୍ର ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରିଥିବାରୁ ବଡ ଦୁର୍ଘଟଣାରୁ ମାଲବାହୀ ଟ୍ରେନଟି ବର୍ତ୍ତି ଯାଇଛି। ଇଞ୍ଜିନ୍ ଅତ୍ୟଧିକ ଗରମ ହୋଇଯିବା କାରଣରୁ ଏପରି ଅଘଟଣ ଘଟିଥିବା ଜଣା ପଡିଛି। ରେଳ ବିଭାଗର ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନର ଯାଞ୍ଚ କରିଛନ୍ତି।

ବିଶାଖାପାଟଣାରୁ ବକ୍ସାଇଟ୍ ଲୋଡିଂ କରି ମାଲବାହୀ ଟ୍ରେନଟି ରାୟଗଡ଼ା ଅଭିମୁଖେ ଆସୁଥିଲା। ସଂଧ୍ୟା ସାଢ଼େ ୬ଟାରେ ଟ୍ରେନକୁ ଷ୍ଟେସନ ଭିତରକୁ ପ୍ରବେଶ କରିବା ପାଇଁ ଷ୍ଟେସନ ମାଷ୍ଟର୍ ସବୁଜ ସଂକେତ ଦେଇଥିବାରୁ ଟ୍ରେନଟି ୪ନଂ ପ୍ଲାଟଫର୍ମକୁ ସଂଯୋଗ ହୋଇଥିବା ରେଳପଥରେ ଆଗେଇ ଆସୁଥିଲା। ଷ୍ଟେସନରୁ ମାତ୍ର ଶହେ ମିଟର ଦୂରରେ ଥିବା ରେଲୱେ ଓଭରବ୍ରିଜ ଟ୍ରେନଟି ପାସ୍ କରୁଥିବା ବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଡ୍ରାଇଭର୍ ଦେଖିଥିଲେ। ତୁରନ୍ତ ଟ୍ରେନକୁ ଅଟକାଇ ନିଆଁ ଲିଭା ଯନ୍ତ୍ର ସାହାର୍ଯ୍ୟରେ ନିଆଁ ଲିଭାଇଥିଲେ। ୧୫ ମିନିଟର ଉଦ୍ୟମ ପରେ ୩ଟି ନିଆଁ ଲିଭାଯନ୍ତ୍ର ସାହାର୍ଯ୍ୟରେ ଇଞ୍ଜିନ୍ ନିଆଁ ଲିଭିବା ସହ ଧୂଆଁ ବାହାରିବା ବନ୍ଦ ହୋଇଥିଲା। ନିଆଁ ଲାଗିଥିବା ଇଞ୍ଜିନ୍ ଅଚଳ ହେବା ପରେ ଦ୍ବିତୀୟ ଇଞ୍ଜିନ୍ ମାଧ୍ୟମରେ ମାଲବାହୀ ଟ୍ରେନକୁ ଡ୍ରାଇଭର କିଛି ଦୂର ପଛକୁ ନେଇଥିଲେ। ଖବର ପାଇ ଇଞ୍ଜିନ୍ ଡିଭିଜନର ଟେକ୍ନିକାଲ୍ ଟିମ୍ ଟ୍ରେନ୍ ନିକଟରେ ପହଞ୍ଚି ନିଆଁ ଲାଗିଥିବା ଇଞ୍ଜିନର ଯାଞ୍ଚ କରିଛନ୍ତି। ନିଆଁ ପ୍ରଭାବରେ ଇଞ୍ଜିନର କମ୍ପ୍ରେସର ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପାର୍ଟସ୍ ପୋଡି ଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର