ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ

ନାଲକୋ ନଗର: ଅନୁଗୁଳ ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନି ପରିସରରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ନାଲକୋ ନଗର ଗିରାଙ୍ଗ ଛକ ନିକଟରେ ଥିବା ଏ-୮୦୩ କ୍ୱାର୍ଟରରେ ଅଜୟ କୁମାର ଜେନାଙ୍କ ଘରେ ନିଆଁ ଲାଗିଥିଲା। ଅଜୟ ଡ୍ୟୁଟିରୁ ଘରକୁ ଫେରିବା ପରେ ହଠାତ ଘର ଭିତରେ ଥିବା ବିଦ୍ୟୁତ ବୋର୍ଡରେ ସଟସର୍କିଟ ହେବାରୁ ନିଆଁ ଲାଗିଥିଲା। ନିଆଁ ଝୁଲ ପଡ଼ି ପାଖରେ ଥିବା ଶୋଇବା ଖଟ ଜଳି ଯାଇଥିଲା।

ନିଆଁକୁ ଆୟତ୍ତ କରାଯାଉଥିବା ବେଳେ ପାଖରେ ରଖା ଯାଇ ଥିବା ସୋରିଷ ଓ ରିଫାଇନ ତେଲରେ ନିଆଁ ଲାଗି ଯିବାରୁ କ୍ଷିପ୍ର ଗତିରେ ଘର ସାରା ବ୍ୟାପି ଯାଇଥିଲା। ଅଳ୍ପ ସମୟ ମଧ୍ୟରେ ଘର ଭିତରେ ଥିବା ସମସ୍ତ ନିତ୍ୟ ବ୍ୟବହାର ସାମଗ୍ରୀ, ୨ଟି ଟିଭି, ଫ୍ରିଜ, ବହି ପତ୍ର, ୨ଟି ଫ୍ୟାନ, ଆଲମାରୀ, ପ୍ଲାଷ୍ଟିକ ଚୌକି ଆଦି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।

ଘର ଭିତରେ ପରିବାର ଲୋକ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶବ୍ଦ ଶୁଭିନଥିଲା। ପାଖରେ ଥିବା ଠିକା ସୁରକ୍ଷା ସଂସ୍ଥାର ସୁରକ୍ଷା କର୍ମୀ ଉକ୍ତ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଘର ମାଲିକ ଅଜୟ କୁମାର ଜେନା ନିଆଁରେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ନାଲକୋ ପୁଲିସ ପହଞ୍ଚି ଥିଲା।

ସମ୍ବନ୍ଧିତ ଖବର