କୋରାପୁଟ:  ବେଆଇନ ଭାବେ ବାଣ ବିକ୍ରି କରୁଥିବା ଦୋକାନ ଉପରେ ଆଜି କୋରାପୁଟ ପୁଲିସ ଚଢାଉ କରିଛି। ଏଠାରୁ ଦେଢ ଲକ୍ଷ ଟଙ୍କାର ବିଭିନ୍ନ ବାଣ ଜବତ କରାଯାଇଛି। ବାଣ ରଖିଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ, କୋରାପୁଟ ବଜାରରେ ବାଣ ବିକ୍ରି ହେଉଥିବା ଖବର ପାଇବା ପରେ ଆଜି ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଲିସ ଚଢାଉ କରିଥିଲା। ବଜାରରେ ବାଣ ବିକୁଥିବା ସଲମନ ଅହମ୍ମଦ ସିଦ୍ଦିକ ଓ ନୀତେଶ କୁମାର ବାଣ ବିକୁଥିଲାବେଳେ ସେମାନଙ୍କୁ ଧରିଥିଲା ପୁଲିସ। ସେମାନଙ୍କ ପାଖରୁ ୯୮୫ ଟି ବାଣ ପ୍ୟାକେଟ ଜବତ କରାଯାଇଛି। ଏଥର ବାଣ ବିକ୍ରି ଓ ବାଣ ଫୁଟାକୁ ଅନୁମତି ମିଳି ନ ଥିଲେ ମଧ୍ୟ ଏମାନେ ବେଆଇନ ଭାବେ ବାଣ ବିକ୍ରି କରୁଥିଲେ। ବିଭିନ୍ନ ପ୍ରକାର ବାଣ ଏମାନଙ୍କ ପାଖରେ ଗଛିତ ରହିଥିଲା। ପୁଲିସ ଏମାନଙ୍କ ବିରୋଧରେ ୩୨୪/୨୦ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି। ଜବତ ବାଣର ବଜାର ଦର ଦେଢ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।