ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ମହକୁମାର ନୂଆ ବସଷ୍ଟାଣ୍ଡ ରେ ଥିବା ଏକ ଜଳଖିଆ ଦୋକାନରେ ଦୋଶା ପ୍ରସ୍ତୁତ କରୁଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ସେଠାରେ ଜଳଖିଆ ଖାଉଥିବା ଗ୍ରାହକମାନେ ଚିତ୍କାର କରି ଦଉଡ଼ି କି ବାହାରକୁ ଆସିଯାଇଥିବାବେଳେ ଦୋକାନ ମାଲିକ ମଧ୍ୟ ଭୟରେ ଦଉଡ଼ି ବାହାରକୁ ପଳାଇ ଆସିଥିଲେ। ଏହାପରେ କିଛି ଆଖପାଖ ଦୋକାନୀ ବାହାରକୁ ବାହାରି ଦେଖିବା ପରେ ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗକୁ ଫୋନ୍ କରିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ୍ତ କରିବାରେ ନାକେଦମ୍ ହୋଇଥିଲେ।
ଦୋକାନ ଭିତରୁ ସାହସର ସହ ସିଲିଣ୍ଡରଟିକୁ ବାହାରକୁ ଆଣି ପାଣି ଓ ଗ୍ୟାସ ସ୍ପ୍ରେ କରି ପ୍ରାୟ ୧୫ ମିନିଟ ପରେ ସିଲିଣ୍ଡରରୁ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ। ସିଲିଣ୍ଡରଟି ହୁତୁହୁତୁ ହୋଇ ଜଳୁଥିବାବେଳେ ଲୋକେ କିନ୍ତୁ ବିପଦ ଓ ଭୟଥିବା ସତ୍ତ୍ୱେ ନିଆଁ ଦେଖିବାକୁ ଜମି ରହିଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।