୪ ଜିଲ୍ଲାର ୧୧୭୧ ସ୍ଥାନରେ ଲାଗି ସାରିଲାଣି ନିଆଁ; ରାହା ଖୋଜୁଛନ୍ତି ବନ୍ୟପ୍ରାଣୀ, ବିପଦରେ ଉତ୍ତର ଘୁମୁସର ବନଖଣ୍ଡ

ବ୍ରହ୍ମପୁର: ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ। ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପୀ ବ୍ରହ୍ମପୁର ବନ ସର୍କଲର ୪ଟି ଜିଲ୍ଲାକୁ ମାଡ଼ିଗଲାଣି। ଗୋଟିଏ ଜଙ୍ଗଲରେ ନିଆଁ ଲଭିବା ପରେ ପୁଣି ଅନ୍ୟ ଏକ ଜଙ୍ଗଲରେ ଲାଗୁଛି। ଇତି ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୧୧୭୧ଟି ସ୍ଥାନରେ ବଡ଼ଧରଣ ନିଆଁ ଲାଗି  ଜଙ୍ଗଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ନିଜ ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ଏବେ ସବୁଠାରୁ ଅଧିକ ବିପଦରେ ରହିଛି। ଏହି ବନଖଣ୍ଡର ୩୬୪ଟି ସ୍ଥାନରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହୋଇସାରିଛି। ଗତ ୨୪ଘଣ୍ଟା ମଧ୍ୟରେ ଶତାଧିକ ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଜଙ୍ଗଲରେ ନିଆଁ ଲାଗିବା ସଂପୂର୍ଣ୍ଣ ମନୁଷ୍ୟକୃତ ହୋଇଥିବା ବେଳେ କିଏ ଓ କାହିଁକି ଏଭଳି ନିଆଁ ଲଗାଉଛି ତାହା ସ୍ପଷ୍ଟ ହୋଇପାରୁନି। ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ଜଙ୍ଗଲ ନିଆଁର ସ୍ଥିତିକୁ ସମୀକ୍ଷା କରିଛନ୍ତି। ଜଙ୍ଗଲ ନିଆଁକୁ ରୋକ୍ ଲଗାଇବା ପାଇଁ ବନବିଭାଗ ଆକାଶକୁ ଚାହିଁ ରହିଛି। ଫଗୁଣ ମାସରେ ବର୍ଷାକୁ ଅପେକ୍ଷା କରିଛି ବିଭାଗ।

ଏବେ ଗଛ ଗୁଡିକ ପତ୍ରଝଡ଼ା ଦେଇଥିବା ଯୋଗୁଁ ଜଙ୍ଗଲରେ ପତ୍ର ଭରି ହୋଇ ପଡିରହିଛି। ପ୍ରବଳ ଖରାରେ ପତ୍ର ଗୁଡିକ ବି ଶୁଖି ରହିଥିବା ବେଳେ କେହି ଏଥିରେ ନିଆଁ ଲଗାଇ ଦେବା ଫଳରେ ନିଆଁ ଜଙ୍ଗଲ ସାରା ବ୍ୟାପୁଛି। ବିଶେଷତଃ ଗ୍ରାଉଣ୍ଡ ଫାୟର ହେଉଥିବା ବେଳେ ନିଆଁର ଝାସରେ ଅନ୍ୟ  ଗଛର ପତ୍ର ଗୁଡିକ ଝାଉଁଳି ପଡୁଛି। ଗତ ୭ ଦିନ ହେଲା ଓଡ଼ିଶାରେ ଜଙ୍ଗଲ ନିଆଁ ଅଣାୟତ୍ତ ହୋଇଥିବା ସାମ୍ନାକୁ ଆସିଛି। ନିଆଁ ଲାଗି ଜଳିଥିବା ବିଭିନ୍ନ ଜଙ୍ଗଲର ୧୧୭୧ଟି ସ୍ଥାନ ମଧ୍ୟରେ ବ୍ରହ୍ମପୁର ବନଖଣ୍ଡରେ ୩୬ଟି, ଘୁମୁସର ଦକ୍ଷିଣ ବନଖଣ୍ଡରେ ୬୦ଟି ଏବଂ ଘୁମୁସର ଉତ୍ତର ବନଖଣ୍ଡରେ ୩୬୪ଟି ସ୍ଥାନ ରହିଛି।

ସେହିପରି ଗଜପତି ଜିଲ୍ଲାର ୧୨୪, ଫୁଲବାଣୀ ବନଖଣ୍ଡର ୧୭୦ଟି, ବାଲିଗୁଡ଼ା ବନଖଣ୍ଡର ୨୧୦ଟି ଏବଂ ବୌଦ୍ଧ ବନଖଣ୍ଡର ୨୧୦ଟି ସ୍ଥାନରେ ନିଆଁ ଲାଗିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ସବୁ ସ୍ଥାନରେ ନିଆଁକୁ ଲିଭାଯାଇଥିବା ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ(ଆରସିସିଏଫ୍‌) ପ୍ରଶାନ୍ତ ମିଶ୍ର କହିଛନ୍ତି। ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅର୍ନ୍ତଗତ ମାଧୁର ପାହାଡ଼ ଶିଖରରେ ନିଆଁ ଲାଗିଥିଲା। ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ସେହିପରି ନିମିନା ନିକଟସ୍ଥ ଏକ ଜଙ୍ଗଲରେ ବଡ଼ଧରଣ ନିଆଁ ଲାଗିଥିବା ବେଳେ ତାହାକୁ ଲିଭା ଯାଇଛି। ସେହିପରି ବ୍ରହ୍ମପୁର ବନଖଣ୍ଡର ସାମନ୍ତିଆ ପଲ୍ଲୀ ବନାଞ୍ଚଳର ବିଭିନ୍ନ ଇଲାକାରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରତି ବନାଞ୍ଚଳରେ ୧୭ଜଣ ଲେଖାଏଁ ବନ କର୍ମଚାରୀଙ୍କ ନେଇ ଗୋଟିଏ ଲେଖାଏଁ ସ୍କ୍ବାର୍ଡ଼ ଗଠନ କରାଯାଇଛି। ସ୍କ୍ବାର୍ଡ଼, ବନସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲ ନିଆଁ ଲିଭାଯାଉଥିବା ବ୍ରହ୍ମପୁର ଡ଼ିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବାର୍‌ହା, ଭାଲୁ, ହରିଣ ସମେତ ଅନ୍ୟ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଛନ୍ତି। ନିଆଁର ଆଁରେ ହଜାର ହଜାର ଔଷଧୀୟ ଗୁଳ୍ମ ଜଳିପୋଡ଼ି ପାଉଁଶ ହୋଇଗଲାଣି।

କନ୍ଧମାଳ- ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟିର ଅନେକ ପାହାଡ଼ରେ ଏବେ ବି ନିଆଁ ଜଳୁଛି। ଜଙ୍ଗଲ ନିଆଁକୁ କିଭଳି ଆୟତ୍ତ କରିହେବ ସେ ନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ବାନ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭିଡ଼ିଓ କନଫରେନ୍ସ‌ିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଳାର ୩ ବନଖଣ୍ଡର ଡ଼ିଏଫ୍‌ଓ ଯୋଗ‌ ଦେଇଥିଲେ। ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ନିଆଁ ଲାଗିବାର ସମ୍ଭବାନ ଥିବା ଓ ପୂର୍ବରୁ ବାରମ୍ବାର ନିଆଁ ଲାଗୁଥିବା ଅଞ୍ଚଳରେ ବନ କର୍ମଚାରୀ ମୁତୟନ କରାଯିବ। କିଛି ଲୋକ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ବନବିଭାଗକୁ ସୂଚନା ମିଳୁଛି। ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଗିରଫ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାନୀୟ ଲୋକ ପ୍ରତିନିଧି ଓ ବନସୁରକ୍ଷା ସମିତି ସଦସ୍ୟଙ୍କୁ ସାମିଲ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତାକୁ ବ୍ୟାପକ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଯେଉଁ ଜଙ୍ଗଲରେ ନିଆଁ ଲାଗି ସାରିଛି ସେଠାରେ କେତେ କଣ କ୍ଷୟକ୍ଷତି ହୋଇଛି ତାହାର ସର୍ଭେ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ବନବିଭାଗ ପକ୍ଷରୁ ଜାରି ହୋଇଥିବା  ଏସ୍‌ଓପି ଅନୁଯାୟୀ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଆଲୋଚନା ହୋଇଛି।  ଗଞ୍ଜାମ ଜିଲ୍ଲାର ହଜାର ହଜାର ହେକ୍ଟର ଜଙ୍ଗଲ ଜଳୁଥିବା ବେଳେ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଜଙ୍ଗଲମନ୍ତ୍ରୀ ଏଥିନେଇ ସମୀକ୍ଷା ବି କରିନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର