ଅନୁଗୁଳ: ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁଁ ଜଳିଗଲା ୧୨୦ ବଖରା, ସାଢ଼େ ୬ ଘଣ୍ଟା ପରେ ଦମକଳ ବାହିନୀ ନିଆଁକୁ କଲା ଆୟତ୍ତ

ଅନୁଗୁଳ: ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ଶୁକ୍ରବାର ୧୨୦ଟି ବଖରା ଭସ୍ମୀଭୂତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ୧୨୦ ବଖରା ଜଳି ଯାଇଥିବାରୁ ଗ୍ରାମର ୫୦ଟି ପରିବାର ବାସହୀନ ହୋଇଯାଇଛନ୍ତି।

ରିପୋର୍ଟ ଅନୁସାରେ ଆଜି ମଧ୍ୟାହ୍ଣ ୧୨ଟାରେ ଛବି ପ୍ରଧାନଙ୍କ ଘରୁ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ରୋଷେଇ ଘର ଠାରୁ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ଏକ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବା ପରେ ଅଳ୍ପ ସମୟ ମଧ୍ୟରେ ଗାଁର ଅଧିକାଂଶ ଅଚଂଳକୁ ବ୍ୟାପି ଯାଇଥିଲା।

ସୂଚନା ମିଳିବା ପରେ ଆଠମଲ୍ଲିକରୁ ଦମକଳ ବାହିନୀର ୨ଟି ଗାଡି ପହଂଚି ନିଆଁ ଲିଭାଇଥିଲେ। କର୍ମଚାରୀମାନେ ପ୍ରାୟ ସାଢ଼େ ୬ ଘଣ୍ଟା ପର୍ଯ୍ୟନ୍ତ ଉଦ୍ୟମ କରି ନିଆଁକୁ ଆୟତ୍ତ କରିପାରିଥିଲେ। ମାତ୍ର ସେତେବେଳକୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇ ସାରିଥିଲଶ। ଛବି ପ୍ରଧାନଙ୍କ କହିବା ଅନୁସାରେ ଯେଉଁ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଛି, ତାହା ଘର ଠାରୁ ଗୋଟିଏ କିଲୋମିଟର ଦୂରରେ ପଡ଼ିଛି। ବିପନ୍ନ ପରିବାରକୁ ସ୍ଥାନୀୟ ସରପଂଚ ଏବଂ ରାଜସ୍ୱ ନିରୀକ୍ଷକ ଭେଟିଛନ୍ତି। ଅଗ୍ନିକାଣ୍ଡରେ କେତେ କ’ଣ କ୍ଷତି ଘଟିଛି ଆକଳନ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର