ଭଞ୍ଜନଗର:ରାତିରେ ଖାଇପିଇ ଶାନ୍ତିରେ ଶୋଇଥିଲେ ସମସ୍ତେ। ହଠାତ୍ କାଳରାତ୍ରୀ ଭଳି ମାଡି ଆସିଲା ବିପଦ। ଆଉ ନିମିଷକ ମଧ୍ୟରେ ସବୁକିଛି ଛାରଖାର୍ କରିଦେଲା। ନିତ୍ୟ ବ୍ୟବହାର ଆସବାବପତ୍ରଠାରୁ ଆରମ୍ଭ କରି ଘରେ ଗଚ୍ଛିତ ରହିଥିବା ବର୍ଷ ଯାକର ଆହାର ନିଆଁର ଭୟଙ୍କର ବଳୟରେ ଭସ୍ମିଭୂତ ହୋଇଗଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅଧୀନ ବାରୁଡ଼ା ପଞ୍ଚାୟତର ବାଲିଆପଟା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସମସ୍ତେ ଶୋଇଥିବା ସମୟରେ ମଝିଦାଣ୍ଡରେ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୨ ପରିବାରର ବହୁ ବଖରା ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇବା ପାଇଁ ବହୁ ପ୍ରୟାଶ କରାଯିବା ସହ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁଯାୟୀ,ଗତ ରବିବାର ଦିନ ରାତିରେ ଗ୍ରାମରେ ସବୁ ଖାଇ ପିଇ ଶୋଇଥିଲେ |
ହଠାତ୍ ଗ୍ରାମର କାହ୍ନୁ ନାୟକଙ୍କ ଘରେ ନିଆଁ ଲାଗି ଘର ଭିତରେ ପଡିଥିଲା। ତାଙ୍କ ପତ୍ନୀଙ୍କ ଉପରେ ନିଆଁ ପଡିଯିବାରୁ ସେ ଚିତ୍କାର କରି ସାଙ୍ଗରେ ଶୋଇଥିବା ପିଲାମାନଙ୍କୁ ଧରି ବାହାରକୁ ଦୌଡିଥିଲେ। ତାଙ୍କ ପାଟି ଶୁଣି ଅନ୍ୟମାନେ ମଧ୍ୟ ବାହାରକୁ ଆସି ଦେଖିବା ବେଳକୁ ଚାଳ ଉପରେ ପ୍ରବଳ ବେଗରେ ନିଆଁ ଲାଗିଛି। ଧିରେ ଧିରେ ଅନ୍ୟ ଘରକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଥିଲା। ଦେଖୁ ଦେଖୁ କାହ୍ନୁର ଘର ସମେତ ନକୁଳ ନାୟକ, ଦୟା ନାୟକ, ଅଶୋକ ନାୟକ, ଗୟା ନାୟକ, ଗୋବିନ୍ଦ ନାୟକ, କେଶବ ନାୟକ, ତମାଳ ନାୟକ, ଜଗନ୍ନାଥ ବିଷୋୟୀ, ରାଧା ବିଷୋୟୀ, ବିଦେଶୀ ବିଷୋୟୀ ,ଧୋବା ବିଷୋୟୀଙ୍କ ଘର ଜଳିପୋଡି ଛାରଖାର ହୋଇ ଯାଇଥିଲା। ନିଆଁ ଏତେ ତୀବ୍ର ବେଗରେ ବ୍ୟାପିଥିଲା ଯେ ନିଜର ଆସବାପତ୍ର ବାହାର କରିବା ମୁସ୍କିଲ ହୋଇପଡିଥିଲା। ଘରେ ଗଚ୍ଛିତ ରହିଥିବା ଧାନ ଚାଉଳ ମଧ୍ୟ ନିଆଁର ପ୍ରକୋପରୁ ବଞ୍ଚି ପାରିନଥିଲା।
କଷ୍ଟେମଷ୍ଟେ କିଛି ଉଦ୍ଧାର କରାଯାଇଥିବାବେଳେ ଅଧିକାଂଶ ଜିନିଷ ନିଆଁରେ ପୋଡି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗତକାଲି ରାତିତମାମ ନିଆଁ ଲିଭା ଓ ଜିନିଷ ଉଦ୍ଧାର କରିବାରେ ଲାଗିଥିଲା। ଆଜି ସକାଳୁ ଖୋଲା ଆକାଶ ତଳେ ପୋଡା ଘର ଭିତରୁ ଆସବାବପତ୍ର ସାଉଁଟୁଥିବା ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ କାହ୍ନୁର ଏକ ବାଇକ ପୋଡି ଯାଇଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। କାହ୍ନୁ ଏବଂ କେଶବଙ୍କ ଦୁଇଟି ଛୋଟ ଛୋଟ ଶିଶୁ ରହିଥିବାବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଆଜି ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାର ଖୋଲା ଆକାଶରେ ବିତାଇଥିବାବେଳେ ବିଡ଼ିଓ ଶଶୀଭୂଷଣ ମହାପାତ୍ର ଘଟଣାସ୍ଥଳ ବୁଲି ଦେଖିବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ଜରିପାଲ ପ୍ରଦାନ କରାଯିବା ନେଇ ସେ କହିଥିଲେ। ଆଜି ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ତେବେ ସମସ୍ତେ ଶୋଇଥିବାରୁ ଏତେ ବଡଧରଣର ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।