ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୨ ବଖରାରୁ ଅଧିକ ଘର ଭସ୍ମୀଭୂତ

କଟକ: ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତ ବିଲିତେନ୍ତୁଳିଆ ତୋଟାସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୨ ବଖରାରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି। ପିନ୍ଧା ଲୁଗାକୁ ଛାଡିଦେଲେ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।

ସୂଚନାଯୋଗ୍ୟ, ୪ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାଯାଇଛି। ଏଠିକାର ଲୋକେ ପ୍ରାୟତଃ ଚାଷୀ ହୋଇଥିବାରୁ ବିରି, ମୁଗ, ଧାନ ଯାହା ଅମଳ କରି ରଖିଥିଲେ ସବୁ ନିଆଁର ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ବାଙ୍କୀ ଓ କଳାପଥର ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଅଗ୍ନିବିପର୍ଣ୍ଣମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି।

ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ପହଞ୍ଚି ସ୍ଥିତି ପରଖିବା ସହିତ ଯଥା ସମ୍ଭବ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ସହ ପ୍ରାଥମିକ ସହାୟତା ସ୍ୱରୂପ ପଲିଥିନ ଏବଂ ଚୁଡାଗୁଡ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର