ବରୁଣେଇ ଜଙ୍ଗଲରେ ପୁଣି ନିଆଁ, ପୋଡ଼ିଗଲା ଦେଢ଼ ହେକ୍ଟର ଅଂଚଳ

ମଦଖାଇଲେ, ନିଆଁ ଲଗାଇ ଚାଲିଗଲେ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଐତିହାସିକ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ନିଆଁ ଲାଗି ପ୍ରାୟ ଦେଢ଼ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଛି ।

ଆଜି ପ୍ରାୟ ସାଢ଼େ ଗୋଟାଏ ବେଳେ ଗଡ଼ଖୋର୍ଦ୍ଧା ଓ ତିରୁମଲ ରାସ୍ତାର ଉକ୍ରଳ ଡିଷ୍ଟିଲାରି କାରଖାନାର ସମ୍ମୁଖ ପଟରେ ନିଆଁ ଓ ଧୂଆଁ ଉଠୁଥିଲା । ନିକଟରେ ଥିବା ଏକ ବନ ବିଭାଗ ବିଟ୍ ହାଉସର କର୍ମଚାରୀ ଏହା ଦେଖି ଖୋର୍ଦ୍ଧା ରେଂଜ୍ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ପ୍ରାୟ ୧୫-୨୦ ମିନିଟ୍ ମଧ୍ୟରେ ୧୫ଜଣ ବନ ବିଭାଗ କର୍ମଚାରୀ ସେଠାରେ ପହଂଚି ଦୀର୍ଘ ୧ ଘଂଟା ପରିଶ୍ରମରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ନିକଟରେ ଥିବା ଆଦିବାସୀଙ୍କ କହିବାନୁସାରେ, ୪ଜଣ ଯୁବକ ନିଆଁ ଲାଗିବା ସ୍ଥାନରେ ବସି ମଦ ପିଉଥଲେ । ସେମାନେ ଘରକୁ ଫେରିବା ବେଳେ ଯୁବକମାନେ ନିଆଁ ଲଗାଉଥିବା ଦେଖିଥିଲେ । ଏହାଦେଖି ସେମାନେ ବନ ବିଭାଗ ବିଟ୍ ହାଉସକୁ ଖବର ଦେଇଥିଲେ । ତେବେ ବନ ବିଭାଗ କର୍ମଚାରୀ ସେଠାକୁ ଆସିବା ପୂର୍ବରୁ ସେମାନେ ମୋଟରସାଇକଲରେ ଚାଲିଯାଇଥିଲେ ।

ନିଆଁକୁ ଠିକଣା ସମୟରେ ଆୟତ୍ତ କରାଯାଇଥିବାରୁ ନିଆଁ ସଂରକ୍ଷିତ ଅଂଚଳ ଆଡ଼କୁ ଯାଇପାରିନଥିଲା । ତେବେ ସଂରକ୍ଷିତ ଜଙ୍ଗଲର ବାହାର କ୍ଷେତ୍ରର ପ୍ରାୟ ଦେଢ଼ ହେକ୍ଟର ଅଂଚଳ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା ସ୍ଥାନରେ କୌଣସି ବଡ଼ ଗଛ ନଥିଲା, କିନ୍ତୁ ଅନେକ ଛୋଟବଡ଼ ଲଟାବୁଦା ପୋଡ଼ିଯାଇଛି ।

ସୂଚନାଯୋଗ୍ୟ, ଚଳିତ ମାସ ୧୪ ତାରିଖରେ ଅନୁରୂପ ଭାବେ ବରୁଣେଇ ଜଙ୍ଗଲରେ ଦୁଇଟି ସ୍ଥାନରେ ନିଆଁ ଲାଗିଥିଲା । ଗୋଟିଏ ଠିକ୍ ବର୍ତମାନ ଲାଗିଥିବା ସ୍ଥାନ ଠାରୁ ମାତ୍ର ୩୦୦ ମିଟର ଦୂରରେ ଲାଗିଥିବା ବେଳେ ଅନ୍ୟଟି ଗଡ଼ଖୋର୍ଦ୍ଧା ରାସ୍ତା କଡ଼ରେ ଲାଗିଥିଲା । ସେହି ସମୟରେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଦୀର୍ଘ ୩ ଘଂଟା ପରିଶ୍ରମ ଓ ପାଣିଦ୍ୱାରା ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ । ଏଥିରେ ୩ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର