ଅଗ୍ନିକାଣ୍ଡରେ ୧୭ଟି ପରିବାରର ୪୦ ବଖରାରୁ ଅଧିକ ଘର ଭସ୍ମୀଭୂତ, ୨ ଗୋରୁ ଜୀବନ୍ତ ଦଗ୍ଧ, ନଗଦ ଟଙ୍କା, ବାଇକ୍‌ ଓ ଆସବାବ ପତ୍ର ଜଳି ଯାଇଛି

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ ନିରଗୁଣ୍ଡି ପଞ୍ଚାୟତ ଗୁହାଳିହା ରାଉତସାହିରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୭ଟି ପରିବାରର ୪୦ ବଖରାରୁ ଅଧିକ ଘର ଭସ୍ମୀଭୂତ ହେବା ସହିତ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏବଂ ୨ରୁ ଅଧିକ ବାଇକ୍‌ ଜଳି ଛାର୍‌ଖାର୍‌ ହୋଇଯାଇଛି।

ସୂଚନାଯୋଗ୍ୟ, ଏହି ସର୍ଟ ସର୍କିଟରୁ ପ୍ରଥମେ ଗାଁର କାଳନ୍ଦୀ ରାଉତଙ୍କ ଘରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଧୀରେଧୀରେ ଗାଁ ସାରା ନିଆଁ ବ୍ୟାପୀ ଯାଇଥିଲା। ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ପିନ୍ଧାଲୁଗା ଛଡ଼ା କୌଣସି ଜିନିଷ ଉଦ୍ଧାର ହୋଇପାରି ନାହିଁ। ଏମିତି କି ଗୁହାଳରେ ବନ୍ଧା ଅବସ୍ଥାରେ ୨ରୁ ଅଧିକ ଗୋରୁ ଜଳି ଯାଇଥିବା ବେଳେ ଅନେକ ଗୋରୁ ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକଙ୍କ ନଗଦ ଟଙ୍କା ମଧ୍ୟ ଜଳି ଯାଇଛି।

କେବଳ ଏତିକି ନୁହେଁ ଘରେ ଥିବା ଅମଳ ଧାନ, ସୁନା ଗହଣା ଓ ଆସବାବପତ୍ର ସବୁ ଜଳିଯାଇଥିବା ବେଳେ ୨ଟି ବାଇକ୍‌ ପୋଡ଼ି ଯାଇଥିବା ଖବର ମିିଳିଛି। ଖବର ପାଇ ଭଣ୍ଡାରୀପୋଖରୀ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଶୀତଦିନ ଥିବା ହେତୁ ଘର ପୋଡ଼ି ଯାଇଥିବା ନିରାଶ୍ରୟମାନେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର