ଡାବୁଗାଁ/ ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମରେ ଘଟିଛି ଅଘଟଣ। ଟିପାଗୁଡ଼ା ଗ୍ରାମର ୭ ଚାଷୀ ଧାନ ଅମଳ କରି ଗାଁ ମଝିରେ ଥିବା ଆମ୍ବ ତୋଟା ଖଳାରେ ୬ଟି ଧାନ ଗଦା କରି ରଖିଥିଲେ। ତେବେ କେହି ଦୁର୍ବୃତ୍ତ ଗତକାଲି ରାତ୍ର ପ୍ରାୟ ୧ ଘଟିକା ସମୟରେ ଧାନ ଗଦାରେ ନିଆଁ ଲଗାଇ ଚାଲି ଯାଇଥିଲେ। ଦେଖୁ ଦେଖୁ ୬ଟି ଧାନ ଗଦାରେ ହୁତୁ ହୁତୁ ହୋଇ ନିଆଁ ଲାଗି ଯାଇଥିଲା। ନିକଟରେ ଥିବା ତିନୋଟି ପାଳ ଗଦାରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଖଳାରେ ଜଗିଥିବା ଗ୍ରାମର ସାଧୁରାମ ଭତରା ଓ ଯୁଧିଷ୍ଟିର ଭତରା ଏହା ଦେଖି ତୁରନ୍ତ ଧାନ ମାଲିକ ଓ ଗ୍ରାମବାସୀଙ୍କୁ ଉଠାଇ ଥିଲେ। ଗ୍ରାମବାସୀ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ନ ହେବାରୁ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ଆସି ଧାନ ଗଦାରୁ ନିଆଁ ଲିଭାଇଥିଲେ। ତେବେ ସେହି ସମୟରେ ଧାନଗଦାର ଅଧିକାଂଶ ଭାଗ ପୋଡି ଯାଇଥିଲା।

Advertisment

ଟିପାଗୁଡା ଗ୍ରାମର ଚାଷୀ ଭୁବନ ମାଝୀ, ଲକ୍ଷ୍ମଣ ଭତରା, ସିନ୍ଧୁ ମାଝୀ, ଦାମ ଭତରା, ତୁଲାରାମ ମାଝୀ, କୁଶ ଭତରା ଏବଂ ବାସୁଦେବ ମାଝୀ ବିଭିନ୍ନ ବ୍ୟାଙ୍କ ତଥା ସାହୁକାରମାନଙ୍କ ପାଖରୁ ଋଣ କରି ଧାନ ଚାଷ କରିଥିଲେ। ପ୍ରାୟ ୧୬ ଏକର ପରିମିତ ଜମିରେ ୭ ଚାଷୀ ଧାନ ଚାଷ କରିଥିବା ବେଳେ ଧାନ ଗଦା ପୋଡି ଯାଇଥିବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି | ବର୍ଷ ତମାମ ଜମିରେ ପରିଶ୍ରମ କରି ଧାନ ଚାଷ କରିଥିବା ୭ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ସାହୁକାରମାନଙ୍କ ଧାରକରଜ କିପରି ସୁଝିବେ ତଥା ପରିବାର ପ୍ରତିପୋଷଣ କିପରି କରିବେ ବୋଲି ଚାଷୀଙ୍କ ମନରେ ଭାଳେଣି ପଶିଛି | ପ୍ରଶାସନ ତୁରନ୍ତ ଏହି କ୍ଷତିଗ୍ରସ୍ତ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।