ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ

ଧଉଳି: ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ଧଉଳି ଶାନ୍ତିସ୍ତୁପ ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ବହୁ ଗଛଲତା ପୋଡ଼ି ନଷ୍ଟ ହୋଇଯାଇଛି । ଛୋଟ ଛୋଟ ବୃକ୍ଷ ସଂପୂର୍ଣ୍ଣ ଜଳିଯାଇଛି ।

ଖବର ପାଇ ଉଭୟ ବାଲିଅନ୍ତା ଓ ଭୁବନେଶ୍ବର ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ହେଲେ ସେତେବେଳକୁ ଶତାଧିକ ଗଛ ପୋଡ଼ି ଜଳିଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀ ଯୁବକ ମାନସ କୁମାର ସ୍ବାଇଁଙ୍କ ସୂଚନା ମୁତାବକ ଆଜି ସଂଧ୍ୟାରେ ହଠାତ ଶାନ୍ତିସ୍ତୂପ ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗିଯିବା ଯୋଗୁ ଅନେକ ଆକାଶିଆ , କୃଷ୍ଣଚୂଡ଼ା , ରାଧାଚୂଡ଼ା , ଚାଖୁଣ୍ଡା , ଖେରଞ୍ଚ ଆସି କିସମର ଗଛ ଜଳିଯାଇଛି । ପାଖାପାଖି ଅଢ଼େଇ ଏକର ଜଙ୍ଗଲ ଜଳିଯାଇଛି ।

ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡ଼ି ନଥିବା ବେଳେ କୌଣସି ଅସାମାଜିକ ଯୁବକ ବିଡ଼ି କିମ୍ବା ସିଗାରେଟ ନିଆଁ ପକାଇ ଦେବା ଫଳରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବଡ଼ କଥା ହେଉଛି ସ୍ଥାନୀୟ ଲୋକ ନିଆଁ ଲାଗିଯିବା ସଂପର୍କରେ ମଞ୍ଚେଶ୍ବର ରେଞ୍ଜରଙ୍କୁ ଫୋନ କରି ଜଣାଇଥିଲେ । ହେଲେ ବନ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବା ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର