ଲିଭୁନି ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରି ନିଆଁ, ୨୪ଘଣ୍ଟା ହେଲା ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ

ଫ୍ୟାକ୍ଟ୍ରି ମାଲିକଙ୍କ ଦେଖା ଦର୍ଶନ ନାହିଁ

ବାରିପଦା :    ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ନିକଟରେ ଥିବା ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରି ବାହାରେ ଗଦା ହୋଇଥିବା କଞ୍ଚାମାଲ ଏବଂ ଅଳିଆରେ ଲାଗିଥିବା ନିଆଁ ଲିଭିବାର ନା ନେଉନି। ଗତକାଲି ଅପରାହ୍ନରେ ଲାଗିଥିବା ଏହି ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ପ୍ରାୟ ୨୪ଘଣ୍ଟାରୁ ଊର୍ଧ୍ବ ହେବ ଉଦ୍ୟମ ଜାରି ରଖିଛନ୍ତି।

ବର୍ତ୍ତମାନ ସୁଦ୍ଧା ନିଆଁ ଲିଭିଥିଲେ ସୁଦ୍ଧା ଧୂଆଁ ବାହାରୁଛି। ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟ ଅଗ୍ନିଶମ ବାହିନୀର ଏକ ଟିମ୍‌ ଏହାକୁ ଜଗି ରହିବେ ବୋଲି ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନା ସୂଚନା ଦେଇଛନ୍ତି। ତେବେ ଦୁର୍ଭାଗ୍ୟର କଥା ଏହାଯେ ଏହି ଫ୍ୟାକ୍ଟ୍ରି ମାଲିକଙ୍କର କିନ୍ତୁ ଏଯାଏଁ ଦେଖା ଦର୍ଶନ ନାହିଁ। ବାରିପଦା ସଦର ଥାନା ପୁଲିସ୍‌ ପାଖରେ ମଧ୍ୟ ଏହାର ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ଯାହାକି ଆଶ୍ଚର୍ଯ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି। ବେଆଇନ ଭାବେ ଫ୍ୟାକ୍ଟ୍ରି ବାହାରେ ଗଦା କରିଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ କଞ୍ଚାମାଲରେ କିପରି ନିଆଁ ଲାଗିଲା ସେନେଇ ମାଲିକ କୌଣସି ଖୋଜ‌ଖବର ନେଉନଥିବାରୁ ସନ୍ଦେହ ବଢ଼ୁଛି। ସାଧାରଣରେ ମଧ୍ୟ ପ୍ଲାଷ୍ଟିକ ଜଳିବାର ବିଷାକ୍ତ ଧୁଆଁକୁ ନେଇ ଅସନ୍ତୋଷ ବଢ଼ୁଛି। କରୋନା କାରଣରୁ ଏହି ଫ୍ୟାକ୍ଟ୍ରି ବନ୍ଦ ରହିଛି। ଫ୍ୟାକ୍ଟ୍ରି ବନ୍ଦ ଥିଲେ ମଧ୍ୟ ଅତ୍ୟନ୍ତ ବେପରୁଆ ଭାବେ ବାହାରେ ପ୍ଲାଷ୍ଟିକ୍‌ ଅଳିଆ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। କ‌ରୋନା ସମୟରେ ଶୀତଦିନେ ଏପରି ପ୍ଲାଷ୍ଟିକ୍‌ ଅଳିଆ ନିଆଁ ଲାଗିବା ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଉଛି। ଏନେଇ ପ୍ରଶାସନ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ‌ବୋଲି ସାଧାରଣରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର