ଗଞ୍ଜାମର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ନିଆଁ, ଜଙ୍ଗଲରେ ନିଆଁ ଲିିଭା ଜାରି

ଗଞ୍ଜାମ: ଜଙ୍ଗଲ ନିଆଁର ବଳୟରେ ଗତମାସରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ସମ୍ପଦ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଜାଗାରେ ନିଆଁ ଲାଗିଥିବା ବେଳେ ଚାରିଆଡ଼େ ଧୂଆଁର ଆବରଣ ଖେଳାଇ ହୋଇ ରହିଥିଲା। ଦିନରାତି ଏକ କରି ବହୁ ପରିଶ୍ରମ ପରେ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ଉତ୍ତର ଘୁମୁସର ବନଖଣ୍ଡର ସମସ୍ତ ବନାଞ୍ଚଳରେ ନିଆଁ ଲାଗି ସାରିବା ପରେ ନିଆଁ ନିୟନ୍ତ୍ରଣରେ ରହିଥିଲା। ବର୍ତ୍ତମାନ ପୁଣି ଉତ୍ତର ଘୁମୁସର ବନଖଣ୍ଡରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ନିଆଁ ଲାଗୁଥିବା ବେଳେ ତାକୁ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଲିଭାଉଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳ ଅଧୀନରେ ଥିବା ବାଇବାଲି ସଂରକ୍ଷିତ ଜଙ୍ଗଲରେ ଆଜି ନିଆଁ ଲାଗିଛି। ପ୍ରବଳ ମାତ୍ରାରେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଏସଂର୍ପକରେ ବନ ବିଭାଗକୁ ସାଟେଲାଇଟ୍ ମାଧ୍ୟମରେ କୌଣସି ସୂଚନା ମିଳିପାରିନଥିଲା। ନିଘଞ୍ଚ ଜଙ୍ଗଲ ସାଙ୍ଗକୁ ଉପାନ୍ତ ଇଲାକା ହୋଇଥିବାରୁ ଏହି ରାସ୍ତା ଦେଇ ବହୁତ କମ୍ ଲୋକ ଯିବା ଆସିବା କରିଥାନ୍ତି। ଜଙ୍ଗଲରେ ଦୀର୍ଘ ସମୟ ଧରି ନିଆଁ ଲାଗିଥିଲେ ମଧ୍ୟ ସାଟେଲାଇଟ୍ ମାଧ୍ୟମରେ କୌଣସି ସୂଚନା ନଆସିବାରୁ ବନ ବିଭାଗ କର୍ମଚାରୀ ମାନେ ଏହି ନିଆଁ ସଂର୍ପକରେ ଜାଣି ପାରିନଥିଲେ। ଅନେକ ସମୟରେ ସାଟେଲାଇଟ୍ ମାଧ୍ୟମରେ କୌଣସି ସୂଚନା ଆସୁନଥିବାରୁ ସ୍ଥାନୀୟ ଲୋକ କିମ୍ବା ଭିଏସ୍ଏସ୍ ସଦସ୍ୟଙ୍କ ସୂଚନା ଆଧାରରେ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ହୋଇଥାଏ। ଆଜି ମଧ୍ୟାହ୍ନରେ ସେହି ରାସ୍ତାଦେଇ ଯାଉଥିବା କିଛି ଲୋକ ନିଆଁ ଲାଗିଥିବା ଦେଖିଥିଲେ। ଏହାପରେ ଡିଏଫ୍ଓ ଅଭୟ କୁମାର ଦଳାଇ ଏସଂକ୍ରାନ୍ତରେ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର