ବୈପାରିଗୁଡା: ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ନଜରକୁ ଆସିଛି। ଅଥଚ ବନବିଭାଗର ବେଖାତିର ମନୋଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୈାଣସି ପଦକ୍ଷେପ ନିଆଯାଉ ନାହିଁ। ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ସୂଚନା ଫଳକ ଗୋଦାମ ଘରେ ପଡ଼ି ରହିଛି। ନିୟମ ଅନୁଯାୟୀ ଏହି ଜଙ୍ଗଲରେ ନିଆଁ ନ ଲଗେଇବା ଏବଂ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଜଂଗଲର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା କଥା କିନ୍ତୁ ବୈପାରିଗୁଡା ବନବିଭାଗ ଚୁପ୍ ହୋଇ ବସିରହିଛି। ପ୍ରତିବର୍ଷ ଫେବ୍ରୁଆରି ଏବଂ ମାର୍ଚ୍ଚ ମାସ ବେଳକୁ ସାଧାରଣତଃ ନିଆଁ କବଳରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଯାଏ ବୈପାରିଗୁଡା ବନବିଭାଗ ତରଫରୁ ତାହା କରାଯାଇନଥିବା ଜଣାପଡିଛି। ଜଂଗଲ ସୁରକ୍ଷା ପାଇଁ ବିଭିନ୍ନ ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯାଇଛି।
ବନବିଭାଗ ଏହି ବନ ସୁରକ୍ଷା ସମିତି ସହ ସଂପର୍କ ରକ୍ଷା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସଭା ସମିତିର ଆୟୋଜନ କରାଯାଇଥାଏ। ଯାହା କି ଆଜିଯାଏ ବୈପାରିଗୁଡା ବନବିଭାଗ ତରଫରୁ କରାଯାଇନାହିଁ। ଫେବୃଆରୀ ମାସରୁ ସୂଚନା ଫଳକ ସବୁ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଲଗାଯାଇ ନାହିଁ। ଜଂଗଲ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର କୈାଣସି ସୁଫଳ ମିଳୁନାହିଁ। ଏସଂପର୍କରେ ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା କାମରେ ବ୍ୟସ୍ତ ଅଛୁ। ତେବେ ଆଗକୁ ଆମେ ବନ ସୁରକ୍ଷା ସମିତି ସହ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବୁ। ତେବେ ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବା କେତେଦୂର ସମ୍ଭବ ହେବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/a93723a8-95ca-4904-8400-e82b622e91c3.jpg)