ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ସଦର ମହକୁମାରେ ଥିବା ଏକ ଜନସେବା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଜଳି ପାଉଁଶ ହୋଇଛି। ଗତ ମଙ୍ଗଳବାର ରାତ୍ରରୁ ସେବା କେନ୍ଦ୍ର ଭିତରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଆଜି ବୁଧବାର ଭୋର ୫ଟା ସମୟରେ ସେବା କେନ୍ଦ୍ରରେ ନିଆଁ ଲାଗିଥିବା କିଛି ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବା କରିଥିଲେ ହେଁ ଦୋକାନ ମଧ୍ୟରେ ଥିବା ସମସ୍ତ କମ୍ପ୍ୟୁଟର ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପୂଜାରୀଗୁଡା ଗ୍ରାମର ନରସିଂହ ମାଝୀ ପୂଜାରୀଗୁଡା ମୁଖ୍ୟ ଛକରେ ଏକ ଜନସେବା କେନ୍ଦ୍ର ଖୋଲି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ସବୁଦିନ ଭଳି ମଙ୍ଗଳବାର ରାତ୍ର ୮ଟା ସମୟରେ ନରସିଂହ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ତେବେ ମଙ୍ଗଳବାର ରାତ୍ରରେ ହିଁ କୌଣସି କାରଣରୁ ସେବାକେନ୍ଦ୍ର ଭିତରେ ନିଆଁ ଲାଗିଥିଲା। ବୁଧବାର ସକାଳୁ ଏହା ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ ତଥା ଗ୍ରାମବାସୀ ସହଯୋଗରେ ନିଆଁକୁ ଆୟୋତ କରାଯାଇଥିଲା।

Advertisment

ଏହି ଅଗ୍ନିକାଣ୍ଡରେ ସେବା କେନ୍ଦ୍ର ଭିତରେ ଥିବା ଦୁଇଟି ଜେରକ୍ସ ମେସିନ, ତିନୋଟି ପ୍ରିଣ୍ଟର, ଦୁଇଟି ଲାପଟପ, ଇନଭଟର ବ୍ୟାଟେରି, ଦୁଇଟି ନୋମିନେସନ ମେସିନ ସମେତ ଅନ୍ୟାନ ଜେରକ୍ସ ପେପର, ଟେବୁଲ, ଚେୟାର ଆଦି ଅଗ୍ନିକାଣ୍ଡରେ ଜଳି ପାଉଁଶ ହୋଇଥିବା ଦେଖିବାଳୁ ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସେବା କେନ୍ଦ୍ର ମାଲିକ ନରସିଂହ ମାଝୀ ପ୍ରକାଶ କରିଛନ୍ତି। ବିଦ୍ୟୁତ ସଟ ସର୍କିଟ ଯୋଗୁଁ ସେବା କେନ୍ଦ୍ର ଭିତରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ନେଇଁ ସେବାକେନ୍ଦ୍ର ମାଲିକ ତଥା ଅଗ୍ନିଶମ ବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି। ଅନ୍ୟପଟେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ଯୋଗୁଁ ସେବା କେନ୍ଦ୍ର ମାଲିକ ଚିନ୍ତାରେ ପଡିଛନ୍ତି। ଏଣୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।