ତିନି ମାସରେ ଜୟପୁର ବନଖଣ୍ଡର ୧୯୧ ସ୍ଥାନରେ ଲାଗିଲା ନିଆଁ

ନିଆଁଲିଭା ଦଳରେ ପ୍ରଥମ କରି ସାମିଲ ୨୬୬ଏସଏଚଜି

ଜୟପୁର: ଗତ ଜାନୁଆରି ଠାରୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଜୟପୁର ବନଖଣ୍ଡରେ ୧୯୧ଟି ସ୍ଥାନରେ ନିଆଁ ଲାଗିଛି। ୨୦୨୨ରେ ସର୍ବାଧିକ ୫୬୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଏଥର ବହୁ ପରିମାଣର କମାଇବା ଲକ୍ଷ୍ୟରେ ରହିଛି ଜୟପୁର ବନଖଣ୍ଡ। ଏଥି ପାଇଁ ଜଙ୍ଗଲ ପାର୍ଶ୍ବରେ ଥିବା ଗାଁଗୁଡିକର ବନସୁରକ୍ଷା ସମିତି ଯଦି ସମ୍ପୂର୍ଣ୍ଣ ସୁରକ୍ଷା ଦେଲେ ପୁରସ୍କାର ଭାବେ ୫ହଜାର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବାକୁ ଘୋଷଣା କରିଛି ଜୟପୁର ବନଖଣ୍ଡ। ସେଭଳି ନିଆଁ ଲିଭା ଦଳରେ ୬ଟି ରେଞ୍ଜରେ ୨୬୬ଟି ମହିଳା ସ୍ବୟଂ ସହାୟକ ଦଳକୁ ପ୍ରଥମ କରି ସାମିଲ କରି ଏଥି ପାଇଁ ସେମାନଙ୍କୁ ପ୍ରତ୍ସାହନ ଦେବା ପାଇଁ ବି ଯୋଜନା କରିଥିବା କହିଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ ଏନ.ଜେ.ଏସ. ଜେପି ସିଂହ।

ଜୟପୁର ବନଖଣ୍ଡରେ ୧୧୮୪‌ ସ୍କ୍ବାୟର କିଲୋମିଟରରେ ଜଙ୍ଗଲ, ୩୦୧୨ ସ୍କ୍ବାୟର କିଲୋମିଟର ପରିଧି ମଧ୍ୟରେ ବ୍ୟାପ୍ତ ରହିଛି। ଏହି ଜଙ୍ଗଲ ପାର୍ଶ୍ବରେ ୮୯୦ଟି ଗାଁ ରହିଛି। ଏତେ ବଡ ବନଖଣ୍ଡରେ ୬୮ଟି ବିଟରେ ୮୨ଜଣ ଫରେଷ୍ଟଗାର୍ଡ ରହିବା ସ୍ଥାନରେ ମାତ୍ର ରହିଛନ୍ତି ୨୦ଜଣ। ୬ଜଣ ରେଞ୍ଜ ଅଧିକାରୀ ଓ ୨୦ଜଣ ଫରେଷ୍ଟର ରହିଛନ୍ତି। ତେବେ କମ୍ ସଂଖ୍ୟକ ଫରେଷ୍ଟଗାର୍ଡରେ ଏତେ ବଡ଼ ବନଖଣ୍ଡର ସବୁ ବିଟ ପରିଚାଳନା କରିବା ମୁସ୍କିଲ। ଜୟପୁର ବନଖଣ୍ଡ ଗତ ଜାନୁଆରୀରୁ ଆାଜି ପର୍ଯ୍ୟନ୍ତ ୬ଟି ରେଞ୍ଜରେ କୋଟପାଡ ରେଞ୍ଜରେ ସର୍ବାଧିକ ୬୦ଟି ଓ ଜୟପୁର ରେଞ୍ଜରେ ସର୍ବନିମ୍ନ ୫ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ସାଟେଲାଇଟରେ ସୂଚନା ମିଳିଛି।

କୁନ୍ଦ୍ରା ରେଞ୍ଜରେ ୩୭ଟି, ଗୁପ୍ତେଶ୍ବର ରେଞ୍ଜରେ ୨୧ଟି, ବୋରିଗୁମ୍ମା ରେଞ୍ଜରେ ୨୩ଟି ଓ ବୈପାରୀଗୁଡା ରେଞ୍ଜରେ ୪୫ଟି ସ୍ଥାନରେ ଏଭଳି ୧୯୧ଟି ସ୍ଥାନରେ ନିଆଁ ଲାଗିଥିଲା। ସେଥିରୁ ୧୮୯ଟି ସ୍ଥାନରେ ଲିଭାଇ ଦିଆଯାଇଛି ବୋଲି ସହକାରୀ ବନସଂରକ୍ଷଣ ଅଧିକାରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ ଓ ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଏହି ୬ଟି ରେଞ୍ଜର ୬୮ଟି ବିଟରେ ୬୮ଟି ନିଆଁ ଲିଭା ଯନ୍ତ୍ର ସହ ୬ଟି ରେଞ୍ଜରେ ୬ଟି ବଲୋର ସହ ୧୦ଜଣ ଲେଖାଏଁ ୬୯ ସ୍ବତନ୍ତ୍ର ନିଆଁଲିଭାକାରୀ ଦଳ ସହ ସମସ୍ତ ବିଟରେ କର୍ମଚାରୀ, ୨୧୫ଟି ବନସୁରକ୍ଷା ସମିତି ନିୟୋଜିତ କରାଯାଇଛି।

Sambad

ଡିଭିଜନ କାର୍ଯ୍ୟାଳୟ ଓ ରେଞ୍ଜ କାର୍ଯ୍ୟାଳୟରେ ଏଥି ପାଇଁ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଗୋଟିଏ ଟିମ ପୁରା ପ୍ରସ୍ତୁତ କରି ରଖିବା ସହ ସବୁ ୬ଟି ଯାକ ରେଞ୍ଜରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ଗୋଟିଏ ପଟେ ଫରେଷ୍ଟଗାର୍ଡ ଅଭାବ ଓ ଅନ୍ୟ ପଟେ ପ୍ରତିବର୍ଷ ସଚେତନତା ସୃଷ୍ଟି କରି ପଡୁଚାଷ କରିବାକୁ ମନା କରିବା ସତ୍ବେ ୩ହଜାର ହେକ୍ଟର ଜମିରେ ଚାଷୀ ମାନେ ଚାଷ କରୁଛନ୍ତି। ପଡ଼ୁଚାଷ କରିବା ପାଇଁ ପାହାଡର ଉପରଭାଗରେ ନିଆଁ ଲଗାଇ ଦେଉଛନ୍ତି। ଏହା ତଳକୁ ତଳ ଅତି ଦ୍ରୁତଗତିରେ ଆସୁଥିବାରୁ ଲିଭାଇବା ବହୁତ କଷ୍ଠକର ଏବଂ ଏଭଳି ଉଦ୍ୟମ କଲେ ଜୀବନହାନୀ ହେବା ସମ୍ଭାବନା ବି ରହିଛି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ଏହା ସାଙ୍ଗକୁ କୋଟପାଡ଼ ରେଞ୍ଜରେ ବ୍ୟାପକ ପରିମାଣର ମକା ଚାଷ ଜୋର ଜବରଦସ୍ତ ଜଙ୍ଗଲ ଜମିରେ କରାଯାଉଛି।

ମକା ଉତ୍ପାଦନ ପରେ ସୁଖିଲା ଗଛକୁ ଚାଷୀ ମାନେ ନିଆଁ ଲଗାଇ ଦେଉଛନ୍ତି। ଏହା ବି ଜଙ୍ଗଲରେ ନିଆଁ ଲାଗିବା ପାଇଁ ଆଉ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ସେଭଳି କିଛି ବଡ ଜୀବଜନ୍ତୁ ନିଆଁ ଲାଗିବା ପରେ ପସିଥିବା ଅଭିଯୋଗ ଆସି ନାହିଁ, ତଳେ ନିଆଁ ଲାଗୁଥିବାରୁ ମନ୍ତରଗତିରେ ଯାଉଥିବା କିଛି କୀଟ, ପତଙ୍ଗ ପୋଡ଼ିଥିବେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ବାରିଣୀପୁଟ ଓସିସି କଲୋନୀ ନିକଟ ପାହାଡରେ ପଡ଼ୁଚାଷ ପାଇଁ ନିଆଁ ଲଗାଇବାରୁ ଏଥିରେ ଗୋଟିଏ ସାପ ପୋଡ଼ିଯାଇଥିବା ସୂଚନା ମିଳିଛି ବୋଲି କହିଛନ୍ତି ଏସିଏଫ।

ସମ୍ବନ୍ଧିତ ଖବର