ହିଂସ୍ରଜନ୍ତୁଙ୍କ ଗାଁ ମୁହାଁ ହେବାକୁ ନେଇ ଲୋକେ ଛାନିଆଁ; ନରସିଂହପୁରରେ ଜଙ୍ଗଲ ଜଳୁଛି, ଡହଳବିକଳ ବନ୍ୟଜନ୍ତୁ

ନରସିଂହପୁର: ନରସିଂହପୁରରେ ଜଙ୍ଗଲ ଜଳୁଛି। ଡହକବିକଳ ବନ୍ୟଜନ୍ତୁ। ହିଂସ୍ରଜନ୍ତୁଙ୍କ ଗାଁ ମୁହାଁ ଭୟରେ ଲୋକେ ଛାନିଆ। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ତାଟିକବାଟ ପଡ଼ିଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ଧରି ନରସିଂହପୁର ବନବିଭାଗ ଅନ୍ତର୍ଗତ ଦେବଭୂଇଁ, ଶେରମୁଣ୍ଡା, ମିଟିକାପୁର, ନୂଆଗଡ଼ ଆଦି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏସବୁ ସ୍ଥାନରେ କେନ୍ଦୁପତ୍ର ଓ ମହୁଲ ଆଦି ସଂଗ୍ରହ କରିବା ପାଇଁ କିଛି ଲୋକ ଜଙ୍ଗଲକୁ ଯାଇ ଶୁଖିଲାଡାଳ ଓ ପତ୍ରରେ ନିଆଁ ଲଗାଇ ଦେଉଥିବା ଜଣାପଡ଼ିଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ଗଛଗୁଡ଼ିକର ପତ୍ର ସବୁ ତଳେ ପଡ଼ିଥାଏ। ଫଳରେ ନିଆଁ ସମଗ୍ର ଜଙ୍ଗଲକୁ ବ୍ୟାପିବାରେ ଲାଗିଛି।

Sambad

ନିଆଁର ପ୍ରକୋପ ଯୋଗୁଁ ବନ୍ୟଜନ୍ତୁମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଚାଲି ଯାଉଛନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟ ଗାଁଗୁଡ଼ଇକରେ ସଚେତନତା ସୃଷ୍ଟି କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦ରୁ ଅଧିକ ବନ କର୍ମଚାରୀଙ୍କୁ ନିଆଁଲିଭା ପାଇଁ ମେସିନ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ପଶ୍ଚିମାଞ୍ଚଳ ବନାଧିକାରୀ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ଜଙ୍ଗଲ ସୁରକ୍ଷା ସହିତ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନ କରାଯିବ ବୋଲି ବନାଧିକାରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର