ଅଗ୍ନିକାଣ୍ଡରେ ୫ ଏକର କାଜୁବାଡ଼ି ଜଳିଗଲା

କାଳିଆପାଣି : ସୁକିନ୍ଦା ତହସିଲ ରାଁସୋଳ ପଞ୍ଚାୟତ ମହୁଲଖାଲ ମୌଜାର ଦୀନବନ୍ଧୁ ମହାନ୍ତଙ୍କ କାଜୁବାଡ଼ିରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଢେଙ୍କାନାଳ ଜିଲ୍ଲା ସୀମାନ୍ତ ପଟୁ ପରମାନନ୍ଦ ମହାନ୍ତଙ୍କ ବାଡ଼ିରୁ ନିଆଁ ଝୁଲ ଉଡ଼ି ଏହି ଜମିରେ ପଡ଼ିଥିଲା। ଜମିରେ ଶୁଖିଲା ପତ୍ର ଓ ଝାଉଁଳା ଘାସ ସାଙ୍ଗକୁ ପ୍ରଚଣ୍ଡ ଖରା ଓ ଝାଞ୍ଜି ପବନ ପାଇଁ ନିଆଁ ଆଗକୁ ଆଗକୁ ମାଡ଼ି ଚାଲିଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ଆଖପାଖ ବସ୍ତିକୁ ନିଆଁ ବ୍ୟାପିବା ଆଶଂକା ପ୍ରକାଶ ପାଇଥିଲା।

ଖବରପାଇ ଟାଟା ଗ୍ରୁପ୍‌ ଅଧୀନ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବା ଓ ବିନା ସେବାରେ ଫେରିଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଅଗ୍ନିକାଣ୍ଡ କାରଣରୁ ଶ୍ରୀ ମହାନ୍ତଙ୍କ ୫ ଏକର ପାଖାପାଖି ଜମିରେ କାଜୁ ଗଛ ଓ ଚଳିତ ବର୍ଷର ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ଶୀଘ୍ର କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତ କୃଷକଙ୍କୁ କ୍ଷତିପୂରଣ ଓ ଅନୁକମ୍ପା ରାଶି ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର