ସହରାଂଚଳ ବନୀକରଣ ପ୍ରକଳ୍ପ ପ୍ରହସନ:ଜିଲ୍ଲା ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ନିଆଁ ଲଗାଇ ଜବରଦଖଲ

ଖୋର୍ଦ୍ଧା: ଶିମିଳିପାଳ ଅଭୟାରଣ୍ୟରେ ଗତ ୬ ଦିନ ଧରି ନିଆଁ ଲାଗିଛି । କିନ୍ତୁ ଖୋର୍ଦ୍ଧା ସହରର ମଧ୍ୟସ୍ଥଳରେ ଥିବା ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଂଚଳରେ ଲୋକମାନେ ନିଆଁ ଲଗାଇ ଗଛ ପୋଡ଼ିବା ସହ ଅବୈଧ କବ୍ଜା କରିନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏନେଇ ଡିଏଫ୍ଓଙ୍କ ଠାରୁ ଆରମ୍ଭ କରି ଖୋର୍ଦ୍ଧା ରେଂଜର କେହି ଟେର ପାଇନାହାନ୍ତି । ଏଥିରୁ ଖୋର୍ଦ୍ଧାରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ କେତେ ସକ୍ରିୟ ତାହା ସ୍ପଷ୍ଟ ଜଣାପଡ଼ୁଛି ।

୨୦୧୫-୧୬ ଆର୍ଥିକ ବର୍ଷରେ ଖୋର୍ଦ୍ଧା ସହରରେ ସହରାଂଚଳ ବନୀକରଣ ପ୍ରକଳ୍ପ ଯୋଜନାରେ ପ୍ରାୟ ୫୦ ଏକରରୁ ଉର୍ଦ୍ଧ୍ବ ଅଂଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଇଥିଲା । ଏହା ମଧ୍ୟରେ ଟିଏଲ୍ସି ପଡ଼ିଆ ନିକଟ ଶ୍ମଶାନ ଓ ସଂଲଗ୍ନ ଅଂଚଳ, ପିଏନ୍ କଲେଜ ପରିସର ଓ ଖୋର୍ଦ୍ଧା ବନାଧିକାରୀଙ୍କ କାର୍ଯ୍ୟାଳୟ ସଂଲଗ୍ନ ଅଂଚଳରେ ବୃକ୍ଷରୋପଣ କରାଯାଇଥିଲା । ବନାଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଥିବା ହାତିଖମାରେ ୨.୫ ହେକ୍ଟର ସ୍ଥାନରେ ୪ହଜାର ବିଭିନ୍ନ କିସମର ଗଛ ଲଗାଯାଇଥିଲା । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାଣିପମ୍ପ, ତାରବାଡ଼ ଆଦି ଦିଆଯାଇଥିଲା । କିନ୍ତୁ ଗତ କିଛି ମାସ ଧରି ଏହି କୃତ୍ରିମ ଜଙ୍ଗଲର ତାରବାଡ଼ ଘେରାକୁ ଭାଙ୍ଗି ଦେଇ ସେଠାରେ ଅଳିଆ ଆବର୍ଜନା ପକାଇବା ଆରମ୍ଭ ହୋଇଛି ।

କେବଳ ଏହା ମଧ୍ୟ ଦେଇ ଯାଇଥିବା ପିଡବ୍ଲୁଡି ରାସ୍ତାର ଉଭୟ ପାଶ୍ୱର୍ରେ ଗଛଗୁଡ଼ିକୁ କାଟି ଦେବା ସହ ଲୋକମାନେ ଜବରଦଖଲ କରିବା ଆରମ୍ଭ କରିଛନ୍ତି । ଗତ ୨ ଦିନ ଧରି ଏହି କୃତ୍ରିମ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛ ପୋଡ଼ିଯାଇଛି । ଏନେଇ ଖୋର୍ଦ୍ଧା ଡିଏଫ୍ଓଙ୍କୁ ସାକ୍ଷାତ କରି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାଙ୍କ ଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିଲା ନାହିଁ । ଏସିଏଫ୍, କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ କାର୍ଯ୍ୟାଳୟ ପରିସରରେ ଲାଗିଥିବା ନିଆଁ ସମ୍ପର୍କରେ ସଂପୂର୍ଣ୍ଣ ଭାବେ ଅଜ୍ଞ ଅଛନ୍ତି । ତେବେ ସ୍ପଷ୍ଟୀକରଣରେ କହିଛନ୍ତି ଏନେଇ ରେଂଜର ଜାଣିଥିବେ । ରେଂଜର କାର୍ଯ୍ୟାଳୟର କୌଣସି ଅଧିକାରୀ, କର୍ମଚାରୀ ମଧ୍ୟ ଏହା ଜାଣିନଥିବା କହିଛନ୍ତି ।

ଖୋର୍ଦ୍ଧା ସହର ମଧ୍ୟ ସ୍ଥଳରେ ଖୋର୍ଦ୍ଧା ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ନିଆଁଲାଗିବା, ଜବରଦଖଲ ହେଉଥିବା ଦେଖିଲେ ଖୋର୍ଦ୍ଧା ବନାଂଚଳରେ ଜଙ୍ଗଲ, ଜଙ୍ଗଲ ଜନ୍ତୁ କିଭଳି ସୁରକ୍ଷିତ ଥିବେ ତାହା ସ୍ପଷ୍ଟ ଅନୁମାନ କରାଯାଉଛି । ଖୋର୍ଦ୍ଧାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇଯାଇଛି । ବରବରା ଜଙ୍ଗଲର ସୁରକ୍ଷା ଢିଲା ପଡ଼ିବାରୁ ରଣପୁର ଦେଇ ବହୁ ମୂଲ୍ୟବାନ ବୃକ୍ଷ କାଟିନେବା ସହ, ଜଙ୍ଗଲଜନ୍ତୁଙ୍କ ଶିକାର ଚାଲିଛି ବୋଲି ଖୋର୍ଦ୍ଧାର ପ୍ରକୃତିପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର