ହୁ ହୁ ହୋଇ ଜଳୁଛି ଜଂଗଲ, ବନ ବିଭାଗର ନିଘା ନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଅନେକ ଜଂଗଲ ହୁ ହୁ ହୋଇ ଜଳୁଛି। ଗୋଡିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ନିଆଁ ମାଡିବାରେ ଲାଗିଛି। ଏନେଇ ବନ ବିଭାଗ ନିଘା ନଥିବା ଭଳି ଜଣାପଡିଛି। ବିଶେଷକରି ମାଲକାନଗିରି ନିକଟସ୍ଥ ଗୋଇ ପାହାଡରେ ଗତ ଦୁଇ ଦିନ ହେଲା ହୁ ହୁ ହୋଇ ଜଂଗଲରେ ନିଆଁ ଲାଗୁଛି। ବିଭାଗ କହୁଛି ସହୁ ଆୟତ୍ତରେ ରହିଛି। ନିଆଁକୁ କିଏ ଲଗାଇଲା ବନ ବିଭାଗ କିପରି ଜାଣିପାରୁନାହିଁ। ପୁଣି ମାଳ ମାଳ ବନ ସୁରକ୍ଷା ସମିତି। ଜଂଗଲରେ ନିଆଁ ଲାଗିବା ବିଷୟରେ ପ୍ରଥମେ ବନ ସୁରକ୍ଷା ସମିତିର ଲୋକେ ଜାଣିବା କଥା। ଏଥିସହ ବନରକ୍ଷୀମାନେ ଗଲେ କୁଆଡେ ବୋଲି ପ୍ରଶ୍ନ କରାଯାଇଛି।

ଏବେ ଗୋଟିଏ ପାହାଡରୁ ଏହି ନିଆଁ ଦଶଟି ପାହାଡକୁ ବ୍ୟାପିବାରେ ଲାଗିଲାଣି। କେବଳ ଏହି ଗୋଟିଏ ପାହାଡ ନୁହେଁ ବରଂ କୋରକୋଣ୍ଡା ଅଂଚଳର ଭୀମାରାଙ୍ଗିନୀ, କୁକୁଡାଗୁଡା, ଚାଲାଣଗୁଡା ପରି ଅନେକ ପାହାଡରେ ନିଆଁ ଲାଗି ମୂଲ୍ୟବାନ ଗଛଗୁଡିକ ପୋଡି ନଷ୍ଟ ହୋଇସାରିଲାଣି।ଅନ୍ୟଦିଗରେ ବନ ବିଭାଗ କହିଛି ଏନେଇ ବିଭିନ୍ନ ଟିମ ଗଠନ କରାଯାଇ ନିଆଁକୁ ଆୟତ୍ତ କରାଯାଉଛି। ବନ ବିଭାଗର କର୍ମଚାରୀମାନେ ଦିନରାତି ଏକ କରି ନିଆଁକୁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ବୋଲି କୁହାଯାଇଛି। ଖୁବଶୀଘ୍ର ନିଆଁକୁ ଲିଭାଯିବ ବୋଲି ବନ ବିଭାଗ କହିଛି। ତେବେ ନିଆଁ କିଏ ଲଗାଉଛି ବୋଲି ପ୍ରଶ୍ନ କରାଯାଇଛି।

ଏନେଇ ବନ ବିଭାଗର କହିବା ହେଲା ଗ୍ରାମବାସୀମାନେ ନିଆଁ ଲଗାଇ ଚାଲିଯାଉଛନ୍ତି। ଏନେଇ କାହାରିକୁ ଗିରଫ କିମ୍ବା ଅଟକ ରଖାଯାଇନଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାରେ ଆଉ ସେହି ବଣ ଜଂଗଲ ନାହିଁ।କାଠ ମାଫିଆମାନେ କାଠକାଟି ସବୁ ପଦା କରିସାରିଲେଣି। ଅନ୍ୟଦିଗରେ ସେହି ଅନୁପାତରେ ଗଛ ମଧ୍ୟ ଲଗାଯାଉନାହିଁ।ଏବେ ଯାହା ବଂଚି ରହିଛି ତାକୁ ନିଆଁର ପ୍ରକୋପ ପଡିଛି। ତେବେ ବେଳ ଥାଉ ଥାଉ ଲୋକଙ୍କୁ ସଚେତନ କରାନଗଲେ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ନିଆଁ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର