ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଇରୀ ଗ୍ରାମର ଦଣ୍ଡାସାହିରେ ଆଜି ଦିନ ୧୧ରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଯାଇଛି। ସାହିର ସୁଦାମ ବେହେରାଙ୍କ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନାରୁ ପ୍ରକାଶ। ଏଥିରେ ସୁଦାମଙ୍କ ସ୍ତ୍ରୀ ଇନ୍ଦୁ ବେହେରାଙ୍କର ଦେହରେ ନିଆଁ ଲାଗି ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ସୁଦାମ ବେହେରାଙ୍କ ଘର ଚାଳରୁ ନିମିଷକ ମଧ୍ୟରେ ନିଆଁ ବ୍ୟାପିଯାଇ ନରହରି ବେହେରା, ଚନ୍ଦନ ବେହେରା, ଗଗନ ବେହେରା, ଶଂକର ବେହେରା, ହରିଜନ ବେହେରା, ମିନି ବେହେରା, ମାଟିଆ ବେହେରା, ଝୁନୁ ବେହେରା, ମିନି ବେଓ୍ବା, ଡାକ୍ତର ବେହେରା, ଶେଷଦେବ ବେହେରା, ଅର୍ମାନ ବେହେରାଙ୍କ ଘର ଚାଳକୁ ବ୍ୟାପିଥିଲା। ଏଥିରେ ଅଗ୍ନିବିପନ୍ନ ପରିବାରର ସମସ୍ତ ଆସବାବପତ୍ର, ଦଲିଲ ଦସ୍ତାବିଜ, ପିଲାଙ୍କ ପଢାବହି, ସାର୍ଟିଫିକେଟ, ଝିଅ ବାହାଘର ସଜ, ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।
ପ୍ରତି ପରିବାରର ଭସ୍ମୀଭୂତ ସଂପତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ପ୍ରାଥମିକ ଆକଳନରୁ ପ୍ରକାଶ। ଗଂଗାଧରପୁର ଅଗ୍ନିଶମ ବିଭାଗର ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବା ସମୟରେ ଗ୍ରାମର ଧୁନିଆ ବେହେରାଙ୍କ ସହ ୩ ଜଣ ଏଥିରେ ଆହତ ହୋଇ ଚିକିତ୍ସାଧୀନ ରହିଥିବା ପ୍ରକାଶ।
ରିପୋର୍ଟ ଲେଖାଯିବା ବେଳକୁ ଚିଲିକା ତହସିଲ, ବିଡିଓ କିମ୍ବା ନଇରୀ ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ କେହି ସରକାରୀ ସହାୟତା ଓ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାସ୍ତୁହରା ଖୋଲା ଆକାଶ ତଳେ ପଡିଥିବା ଏହି ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ତୁରନ୍ତ ପ୍ରଦାନ ପାଇଁ ଦୃଢ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/house-burned-07_Thumb.jpg)