ବୀରମହାରାଜପୁର/ସୁବଲୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସୁବଳୟା ଥାନା ଜଟେସିଂହା ପଞ୍ଚାୟତ ନାରାୟଣପୁର ଗାଁ’ରେ ଶନିବାର ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଘରେ ଗଚ୍ଛିତ ଥିବା ଧାନଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, ନାରାୟଣପୁର ଗାଁ’ର ମଗନିଆ ସାହୁଙ୍କ ୨ ବଖରା ଘରେ କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ୨ ବଖରାରେ ଥିବା ପ୍ରାୟ ୧୦୦ ବସ୍ତା ଧାନ, ୧୫ ବସ୍ତା ଚାଉଳ, ୨ଟି ସାଇକେଲ, ୨ଟି ଫ୍ୟାନ୍ ଓ ପଲଙ୍କ ସହ ଅନ୍ୟାନ୍ୟ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଛି।
ମଗନିଆ ଧାନ ଅମଳ ପରେ ବିକ୍ରି ପାଇଁ ଟୋକନ ଅପେକ୍ଷାରେ ଘରେ ଗଚ୍ଛିତ ରଖିଥିଲେ। ବର୍ଷକର ଖାଇବା ପାଇଁ ଚାଉଳ ମଧ୍ୟ ମହଜୁଦ ରଖିଥିଲେ। ଘରେ ଲାଗିଥିବା ନିଆଁକୁ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀମାନେ ବହୁକଷ୍ଟରେ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର କରିପାରି ନାହାନ୍ତି। ଘରେ ମଗନିଆଙ୍କର ଜଣେ ଅବିବାହିତା ଭଉଣୀ ଥିବାବେଳେ ଏବେ ସେମାନଙ୍କ ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିଛି। ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟ କରିଛନ୍ତି। ସେମାନଙ୍କୁ ଏକ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/15-7.jpg)