ନୀଳଗିରି: ନିଆଁ ଲାଗି ଜୀଅନ୍ତା ଜଳିଗଲେ ୪ ଗୋରୁ, ସୂଚନା ମୁତାବକ ନୀଳଗିରି ଏନଏସି ଅଧିନ ମିରିଗିଣି ୪ ନମ୍ବର ୱାର୍ଡ ଖଗେନ୍ଦ୍ର ବିଶ୍ବାଳଙ୍କ ଗୁହାଳ ଘରେ ନିଆଁ ଲାଗି ଜୀଅନ୍ତା ଜଳି ଯାଇଛନ୍ତି ଚାରୋଟି ଗୋରୁ। ଅତ୍ୟଧିକ ମଶା ହେଉଥିବା କାରଣରୁ ଗୋରୁ ମାନଙ୍କୁ ସେମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ଖଗେନ୍ଦ୍ର ଅପରାହ୍ନ ସମୟରେ ଧୂଆଁ ଦେଇ ଘରୋଇ କାମରେ ଲାଗିଥିଲେ। ହେଲେ ନିଆଁ କୁହୁଳି କୁହୁଳି ଗୁହାଳ ଘରର ଚାଳରେ ଲାଗି ଚାଳ ଛପରଟି ଗୋରୁ ମାନଙ୍କ ଉପରେ ପଡିଥିଲା। ଖଗେନ୍ଦ୍ରଙ୍କ ବୋହୂ ବାହାରକୁ ଆସି ଘଟଣାକୁ ଦେଖି ପଡୋଶୀ ମାନଙ୍କୁ ଡାକିଥିଲେ ହେଲେ ଗୋରୁ ଗୁଡିକ ବନ୍ଧା ହୋଇଥିବା କାରଣରୁ ଗୋରୁ ଗୁଡିକ କେଉଁଆଡେ ଯାଇ ନପାରି ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।
Advertisment
ଦୁଇଟି ଗାଇ ଓ ଦୁଇଟି ବାଛୁରି ଜୀଅନ୍ତା ଦଗ୍ଧ ହୋଇଥିବା ବେଳେ ସେଥିମଧ୍ୟରେ ଗୋଟିଏ ଗର୍ଭବତୀ ଗାଇ ଥିବା ବେଳେ ଗୋଟିଏ ନଅ ଦିନର ନବଜାତ ବାଛୁରୀ ଥିବା ସୂଚନା ମିଳିଛି। ହେଲେ ଗୋଟିଏ ଦାମୁଡିଆ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ଘଟଣା ପାଇ ନୀଳଗିରି ଅଗ୍ନିଶମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତକୁ ଆଣିଥିଲା।