ଓଏଫ୍‌ଡିସି କାଠ ଡିପୋରେ ଭୟାବହ ଅଗ୍ନିକାଣ୍ଡ, ୮ଘଣ୍ଟା ପରିଶ୍ରମ ପରେ ନିୟନ୍ତ୍ରଣକୁ ଆସିଲା ନିଆଁ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) କାର୍ଯ୍ୟାଳୟ ପରିସରରେ ଥିବା କାଠ ଡିପୋରେ ଅଗ୍ନିକାଣ୍ଡ ଘଟିଛି। ଜଳ ଭଣ୍ଡାର ପାଖରେ ଏହି ଡିପୋଟି ରହିଥିବା ବେଳେ ଜଳ ଭଣ୍ଡାର ପଟୁ ପ୍ରଥମେ ନିଆଁ ଆସି ଧିରେ ଧିରେ ଚାରିଆଡେ ବ୍ୟାପିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆଖି ପିଛୁଳାକେ ବିଜୁଳି ବେଗରେ ଏହା ବ୍ୟାପିବାକୁ ଲାଗିଥିଲା। ପ୍ରାୟ ୧୨ଟି କାଠ ଗଦାରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା।

ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ଆୟତ୍ତ କରିବା ପାଇଁ ନୟାନ୍ତ ହେବାକୁ ପଡିଥିଲା। ଦେଖୁ ଦେଖୁ ଡିପୋ ରହିଥିବା ପ୍ରାୟ ଚାରି ଏକର ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଗ୍ରୀଷ୍ମ ଋତୁ ଯୋଗୁ ଶୁଖିଲା ପତ୍ର ପଡିଥିବାରୁ ନିଆଁ ବହୁ ଶ୍ରୀଘ୍ର ଚାରିଆଡେ ବ୍ୟାପିବାକୁ ଲାଗିଥିଲା। ଗୋଟିଏ ସ୍ଥାନରେ ଆୟତ୍ତ କରିବା ସମୟରେ ଆଉ ଏକ ନୂଆଁ ଜାଗାରେ ନିଆଁ ଲାଗିଯାଉଥିଲା।

ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ିରେ ନିଆଁ ଲିଭା କାର୍ଯ୍ୟ ଚାଲିଥିବା ବେଗଳେ ମଟର ଲଗାଇ ନିକଟସ୍ଥ ଜଳଭଣ୍ଡାରରୁ ମଧ୍ୟ ସିଧା ସଳଖ ନିଆଁ ଲିଭା କାର୍ଯ୍ୟ ଅଗ୍ନିଶମ କର୍ମଚାରୀ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ବହୁ କଷ୍ଟସାଧ୍ୟ ହୋଇପଡିଥିଲା। ସକାଳ ୯ ଟାରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ମାନେ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା ତଥାପି ମଧ୍ୟ କିଛି ସ୍ଥାନରେ ନିଆଁ କୁହୁଳୁଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ଏହି ଅଗ୍ନିକାଣ୍ଡରେ ଡିପୋ ମଧ୍ୟରେ ଥିବା ବଡ଼ ବଡ଼ ଗଛ ମଧ୍ୟ ନିଆଁର ବଳୟରେ ପୋଡି ଅଙ୍ଗାର ପାଲଟି ଯାଇଛି। ଅନେକ କାଠ ଗଦାରେ ନିଆଁ ଲାଗିଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ଜାଳେଣୀ କାଠ ବୋଲି ଓଏଫ୍‌ଡିସି ପକ୍ଷରୁ କୁହାଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ବୁଲା କୁକୁର ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି। ବହୁତ କାଠ ଗଣ୍ଡିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଡିପୋ ମଧ୍ୟରେ ଲକ୍ଷାଧିକ ଟଙ୍କାର କାଠ ଜମାର ହୋଇ ରହିଥିବା ବେ୍ଳେ ପାଖାପାଖି ୫୦ ହଜାର ଟଙ୍କାର କାଠ ଜଳିପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳଳେ ଜଳଭଣ୍ଡାରକୁ ଶୌଚ ପାଇଁ ଆସୁଥିବା ଲୋକଙ୍କ ବିଡ଼ି କିମ୍ବା ସିଗାରେଟ୍ ନିଆଁରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀଙ୍କ ସମେତ ଡିପୋର କର୍ମଚାରୀ ମାନେ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଧିରେ ଧିରେ ଏହି ନିଆଁ ନିୟନ୍ତ୍ରଣ ବାହାରକୁ ପଳାଇ ଯାଇଥିଲା। ଚାରିପଟୁ ଏକା ସାଙ୍ଗରେ ନିଆଁ ଲାଗିଯିବାରୁ ନିଆଁକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପକ୍ଷରେ ବହୁ କଷ୍ଟସାଧ୍ୟ ହୋଇପଡିଥିଲା। ଦୀର୍ଘ ୮ ଘଣ୍ଟାର ଅବିରତ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ନିୟନ୍ତ୍ରଣରେ ରହିଥିବା ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର