କୋରେଇ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆଁ ଆରଆଇ ସର୍କଲ ତାଲୁଗାଁ ଗ୍ରାମର ବାଇଧର ଚାନ୍ଦଙ୍କ ପାଚିଲା ଧାନ ବିଲରେ ନିଆଁଲାଗି ଦୁଇ ଏକର ଜମିର ଧାନ ପୋଡ଼ିଯାଇଛି। ତେବେ ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ଅଗ୍ନିକାଣ୍ତର କାରଣ ଜଣାପଡ଼ିନାହିଁ। ଏନେଇ ଶ୍ରୀ ଚାନ୍ଦ ପାଣିକୋଇଲି ଥାନା ଓ ବଡ଼ବିରୁଆଁ ଆରଆଇଙ୍କୁ ଅବଗତ କରାଇଥିବା ବେଳେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗତକାଲି ରାତିରେ ଶ୍ରୀ ଚାନ୍ଦ ଘରେ ଶୋଇଥିବା ବେଳେ ତାଙ୍କ ବାଡ଼ି ପଛପଟେ ଥିବା ଧାନକ୍ଷେତରେ ନିଆଁ ଲାଗିଯାଇଥିଲା। ସକାଳେ ଶ୍ରୀ ଚାନ୍ଦ ଦେଖିବା ବେଳକୁ କ୍ଷେତରେ ସମସ୍ତ ଧାନ ପୋଡ଼ିଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୮୦ ହଜାର ଟଙ୍କାର ଧାନ ପୋଡ଼ିଯାଇଛି ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ସମବାୟ ସମିତି ଓ ଗାଁ ମହାଜନ ଠାରୁ ଋଣକରି ଚାଷ କରିଥିବା ଶ୍ରୀ ଚାନ୍ଦ ଏବେ ଋଣ ପରିଶୋଧ ପାଇଁ ଚିନ୍ତାରେ ପଡ଼ିଛନ୍ତି। ଅଗ୍ନିବିପନ୍ନ ପରିବାରକୁ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତଦନ୍ତ ରିପୋର୍ଟ ପରେ ସହାୟତା ପ୍ରଦାନ ପାଇଁ ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଆରଆଇ କାର୍ଯ୍ୟାଳୟରୁ ସୂଚନା ମିଳିଛି।