ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସାହାଜବାହାଲଠାରେ ଅଚଳ ଅବସ୍ଥାରେ ବର୍ଷବର୍ଷ ଧରି ପଡ଼ିରହିଥିବା ‘ଇଣ୍ଡବରାତ ପାଓ୍ବାରପ୍ଲାଣ୍ଟ୍‌’ ପରିସରରେ ରବିବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ପ୍ଲାଣ୍ଟ ଭିତରେ ଥିବା ବଡ଼ବଡ଼ ଗୁଳ୍ମ ଓ ଘାସ ଆଦି ହୁ ହୁ ହୋଇ ଜଳିବା ସହ କୋଇଲା ପରିଚାଳନା ପ୍ଲାଣ୍ଟରେ ଥିବା କନଭେୟର୍‌ ବେଲ୍‌ଟଗୁଡ଼ିକରେ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁ ସୃଷ୍ଟି ହୋଇ ସମଗ୍ର ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ଘଟାଇଛି। କନଭେୟର୍‌ ବେଲ୍‌ଟଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଥିବା କୁହାଯାଇଛି। ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଦେଖି ପ୍ଲାଣ୍ଟକୁ ଲାଗିଥିବା ସାହାଜବାହାଲ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ।

Advertisment

ଗ୍ରାମବାସୀଙ୍କ ସୂଚନା ପାଇ ଇବ୍‌ଥର୍ମାଲ, ଲଖନପୁର, ରେଙ୍ଗାଲି (ସମ୍ବଲପୁର) ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ସନ୍ଧ୍ୟାବେଳକୁ ନିଆଁ ଆୟତ୍ତକୁ ଆସିଥିବା ଇବ୍‌ଥର୍ମାଲ ଅଗ୍ନିଶମ ଅଧିକାରୀ ସାମୁଏଲ ବୁର୍ଜ କହିଛନ୍ତି। ନିଆଁ କିଭଳି ଲାଗିଲା ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ତେବେ ପ୍ଲାଣ୍ଟ ବାହାରେ ଥିବା ଚାଷ ଜମି ନଡ଼ାରେ କେହି ନିଆଁ ଲଗେଇଥିବାରୁ ଏହା ଜଳିଜଳି ପ୍ଲାଣ୍ଟ ଭିତରକୁ ଆସିଥିବା ଅନୁମାନ କରାଯାଉଛି। ପ୍ରାୟ ୪ ବର୍ଷ ଧରି ୭୦୦ ମେଗାଓ୍ବାଟ୍‌ ବିଶିଷ୍ଟ ଏହି ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ ହୋଇ ପଡ଼ିଛି। ପ୍ଲାଣ୍ଟର ରକ୍ଷଣାବେକ୍ଷଣ କି ତଦାରଖ କରାଯାଉ ନଥିବାରୁ ଏହାର ପରିସରରୁ ବାରମ୍ବାର ଚୋରି ହେଉଛି। ରକ୍ଷଣା ବେକ୍ଷଣ ଦାୟିତ୍ବରେ ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟଣା ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।