ଲିଭୁନି ନିଆଁ, ବଢ଼ୁଛି ତାତି; ଏବେବି ଜଳୁଛି ଶିମିଳିପାଳ ଓ ସଂରକ୍ଷିତ ଜଙ୍ଗଲ

ପାହାଡ଼ ବେକରେ ଲାଲ ରଙ୍ଗର ମାଳର ଭ୍ରମ, କାଗଜପତ୍ରରେ ନିଆଁ ଲିଭାଇଦେଉଛନ୍ତି ସରକାରୀ ବାବୁ

ବାରିପଦା: ଏବେବି ଜଳୁଛି ଶିମିଳିପାଳ। ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ମଧ୍ୟ ଆଜକୁ ଦୁଇ ସପ୍ତାହରୁ ଊର୍ଧ୍ବ ସମୟ ଧରି ହୁ ହୁ ହୋଇ ଜଳୁଛି। ନିଆଁ ଲିଭୁନି। ମାତ୍ର କାଗଜପତ୍ରରେ ସରକାରୀ ବାବୁମାନେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହୁଛନ୍ତି। ମାତ୍ର ଏହି ନିଆଁର ତାତି କିନ୍ତୁ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ସବୁଠି ପଡ଼ିଲାଣି। ଏହି ନିଆଁ ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଲାଣି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାର ପିସିସିଏଫ ଶଶୀ ପଲଙ୍କୁ ସ୍ଥିତି ସମୀକ୍ଷା କରିବାକୁ ପଠାଇଥିଲେ। ମାତ୍ର ଆରମ୍ଭରୁ ହିଁ ନିଆଁ ନିୟନ୍ତ୍ରଣରେ ଥିବା ପିସିସିଏଫ କହିଚାଲିଲେ। ଦୁଇ ଦିନିଆ ଗସ୍ତ ପରେ ଭୁବନେଶ୍ବରରେ ମଧ୍ୟ ଶିମିଳିପାଳ ନିଆଁ ଆଦୌ କିଛି କ୍ଷତି କରିନଥିବା ଏବଂ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପ୍ରକାଶ କରିଥିଲେ। ତାଙ୍କ ସହିତ ଏସ୍ଟିଆର ଡିଡି ମଧ୍ୟ ସମାନ କଥା କହିଚାଲିଛନ୍ତି।

ଗତକାଲି ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଯୋଡ଼ି ହୋଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ସେ ମଧ୍ୟ ଟୁଇଟ୍ କରି ସମାନ କଥା ଦୋହରାଇଛନ୍ତି। ଅଥଚ ବାସ୍ତବ ଚିତ୍ର କିନ୍ତୁ ପୁରା ଭିନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ମଧ୍ୟ ଶିମିଳିପାଳ କୋର ଏରିଆ ସହିତ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ହୁ ହୁ ହୋଇ ଜଳୁଛି । ରାତି ହେଲେ ଜଙ୍ଗଲରେ ଜଳୁଥିବା ନିଆଁ ବହୁ ଦୂରକୁ ଦୃଶ୍ୟମାନ ହେଉଛି। ପାହାଡ଼ ବେକରେ ଏହି ନିଆଁ ଲାଲ ରଙ୍ଗର ମାଳ ପରି ପ୍ରତୀୟମାନ ହେଉଛି। କପ୍ତିପଦା ବ୍ଲକ ପୋଡ଼ାଡ଼ିହା, ଭଞ୍ଜବସା, ଡ଼ୁକୁରା ରେଞ୍ଜ୍ର ଦେବକୁଣ୍ଡ ଆଦି ସଂରକ୍ଷିତ ଜଙ୍ଗଲ ଓ ଶିମିଳିପାଳ କୋର ଏରିଆ ଆଦିରେ ଏବେବି ନିଆଁ ଜଳୁଥିବା ଦେଖିବାକୁ ମିଳିଛି।

ଆଜି କ୍ଷେତ୍ର ଅନୁଧ୍ୟାନ କରିଥିବା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଆଁ ଦେଖିବାକୁ ପାଇଛନ୍ତି। କୋର୍ ଏରିଆରେ ଲାଗିଥିବା ନିଆଁ ଦୂରକୁ ଦୃଶ୍ୟମାନ ହେଉଛି। ଅଥଚ ସରକାରୀ ବାବୁମାନେ କିନ୍ତୁ ନିଆଁ ଲିଭିଯାଇଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ୍ ମଧ୍ୟ ସିଧାସଳଖ ସରକାରୀ କଳର ଅପାରଗତାକୁ ଦାୟୀ କରିଛି। ସେହିପରି ଭଞ୍ଜସେନା ମଧ୍ୟ ଏନେଇ ରାଜରାସ୍ତାକୁ ଓହ୍ଲାଇବାକୁ ତୟାର୍। ଆସନ୍ତା ୧୦ରେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ବନ୍ଦ ଡାକରା ଦେଇଛି ସଂଗଠନ। ଏହି ପ୍ରସଙ୍ଗ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଛି। ମାତ୍ର ନିର୍ବିକାର ପ୍ରଶାସନ କଳ କିନ୍ତୁ କେବଳ କେତେ ସଂଖ୍ୟକ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ଅଛନ୍ତି, ମାତ୍ର କେଇ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଛି ଭଳି କିଛି କଥା କହି ଚୁପ୍ ବସିଛି। ଏପରିକି ଖୋଦ୍ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ମଧ୍ୟ ଏକ ସଂସ୍ଥାର ଖବରକୁ ନେଇ ଶିମିଳିପାଳ ନିଆଁ ନିୟନ୍ତ୍ରଣରେ ଥିବା ଟୁଇଟ୍ କରିଛନ୍ତି। ତେବେ ଏହି ନିଆଁ କ୍ରମଶଃ ଅଣାୟତ ହେଉଥିବାରୁ ହେଲିକପ୍ଟର ସହାୟତାରେ ଏହାକୁ ଲିଭାଇବାକୁ ଉଦ୍ୟମ କରିବାକୁ ଦାବି ଜୋର୍ ଧରିଛି।

ସମ୍ବନ୍ଧିତ ଖବର