ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ହାଟତୋଟାରେ ଥିବା ଚିତ୍ତରଞ୍ଜନ ସାହୁଙ୍କ ତେଜରାତି ଦୋକାନରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଶ୍ରୀ ସାହୁଙ୍କ ଘର ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମରେ। ତାଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟାବେଳେ ‌ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ଗୋଟାଏବେଳେ ତାଙ୍କ ଦୋକାନରେ ନିଆଁ ଲାଗିଥିବା ନେଇ ସମ୍ମୁଖରେ ଥିବା ଜଣେ ଦୋକାନୀ ଖବର ଦେଇଥିଲେ। ସେ ତୁରନ୍ତ ଆସି ଦୋକାନ ସଟର ଖୋଲି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଦୋକାନରେ ଥିବା ୬୦ ହଜାର ଟଙ୍କା, ଫ୍ରିଜ୍, ଓଜନ ମେସିନ, ଜେରକ୍ସ ମେସିନ ସମେତ ରାସନ ସାମଗ୍ରୀ ପୋଡ଼ିଯାଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ଶ୍ରୀ ସାହୁ ଦୈତାରୀ ଥାନାରେ ଏତଲା ଦେଇଛନ୍ତି। ଆଜି ଅପରାହ୍‌ରଣରେ ଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର