ରାଉରକେଲା/ବେଲପାହାଡ : ରାସ୍ତା ଉପରେ ଆଜି ଜଳିଯାଇଛି ହାଇୱା ଓ ଟାଟା ମ୍ୟାଜିକ ଗାଡି | ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ତେହେରାଇ ଛକରେ ଛିଡା ହୋଇଥିବା ଲୁହାପଥର ବୋଝେଇ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା | ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ଵରୁ ହାଇୱାଟି ସମ୍ପୂର୍ଣ ଜଳିଯାଇଛି l ତେବେ ଅଳ୍ପକେ ଡ୍ରାଇଭର ଓ ହେଲପର ବର୍ତ୍ତିଯାଇଛନ୍ତି l ସଟସର୍କିଟରୁ ହାଇୱାଟି ଜଳି ଯାଇଥିବା ଅନୁମାନ କରାଯାଉଛି l

Advertisment

ଆଜି ସକାଳ ପ୍ରାୟ ସାଢେ ୧୧ଟା ବେଳେ ଲୁହାପଥର ବୋଝେଇ କରି ଖଣିରୁ ବାହାରିବା ପରେ ତେହେରାଇ ଛକରେ ଜଳଖିଆ ଖାଇବାକୁ ଡ୍ରାଇଭର ହାଇୱାକୁ ଛିଡା କରାଇଥିଲେ | ତେବେ ହଠାତ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା | ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ଓଭରବ୍ରିଜ ନିକଟରେ ମଧ୍ୟ ଏକ ଚଳନ୍ତା ଟାଟା ମ୍ୟାଜିକ ଗାଡିରେ ଅଗ୍ନିକାଣ୍ଡ ଘଟିଛି।

publive-image

ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଆଜି ସକାଳ ୧୦ଟାରେ ଏହି ଗାଡିଟି ବ୍ରଜରାଜନଗର ଗାନ୍ଧୀଛକରୁ ଲଖନପୁର ଅଭିମୁଖେ ଯାଉଥିଲା। ତେବେ ଅଗ୍ନିକାଣ୍ଡ ଘଟିବା ପରେ ଟି. ଆର. ଏଲ. ର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତିଯାଇଥିବାବେଳେ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଛି।