ନାରାୟଣପାଟଣା,: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ଧାଇଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘରର ୫ ବଖରା ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ଦୁଇଟି ପରିବାର ବାସହରା ହୋଇ ଏବେ ସଂପର୍କୀୟ ଘରେ ମୁଣ୍ଡ ଗୁଞ୍ଜିଥିବା ଜଣାପଡ଼ିଛି। ଅପରପକ୍ଷରେ ବିପନ୍ନ ପରିବାର ଏନେଇ ନାରାୟଣପାଟଣା ତହସିଲରେ ଜଣାଇବା ପରେ ଦୁଇଟି ପରିବାରକୁ କେବଳ ପଲିଥିନ୍ ଖଣ୍ଡିକ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଧାଇଗୁଡ଼ା ଗ୍ରାମରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଗାଁରେ ରହୁଥିବା ବର୍ଜ ମିଣିଆକା ଏବଂ ବିକୁଣୁ ମିଣିଆକାଙ୍କ ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।
ତେବେ ନିଆଁ ଲାଗିବା ସଂପର୍କରେ ଗ୍ରାମବାସୀ ପ୍ରଥମେ ନାରାୟଣପାଟଣା ବ୍ଲକ୍ ବିଜେପି ସଭାପତି ସଂଜୟ ବିଡ଼ିକାଙ୍କୁ ଫୋନ୍ କରି ଜଣାଇଥିଲେ। ଏହାପରେ ସଂଜୟଙ୍କ ଠାରୁ ସୂଚନା ପାଇ ନାରାୟଣପାଟଣା ଅଗ୍ନିଶମ ବାହିନୀ ଗାଁରେ ଆସି ପହଞ୍ଚିଥିଲେ କିନ୍ତୁ ଘଟଣାସ୍ଥଳକୁ ରାସ୍ତା ନଥିବାରୁ ଦମକଳ ଗାଡ଼ି ଯାଇପାରିନଥିଲା। ବାଧ୍ୟ ହୋଇ ଅଗ୍ନିଶମ ବାହିନୀ ଚାଲି ଚାଲି ଘଟଣାସ୍ଥଳରେ ପହଞ୍ଚି ପାଣି ଢାଳି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ବର୍ଜ ମିଣିଆକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିବା ବେଳେ ତାଙ୍କର ଦୁଇ ବଖରା ଘର ସହ ଧାନ, ମାଣ୍ଡିଆ, ଲୁଗାପଟା, ଆସବାବପତ୍ର, ଟଙ୍କା ଆଦି ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ବିକୁଣୁ ମିଣିଆକାଙ୍କ ତିନି ବଖରା ଘର ସହ ଚାଉଳ, ଆସବାବପତ୍ର, ଲୁଗାପଟା ଇତ୍ୟାଦି ଜିନିଷ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି।
ଏନେଇ ବିପନ୍ନ ପରିବାର ଆଜି ନାରାୟଣପାଟଣା ଆସି ତହସିଲରେ ଜଣାଇବା ସହ ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ତହସିଲଦାର ଏନ୍.ଜଗଜୀବନ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ନାରାୟଣପାଟଣା ରାଜସ୍ବ ନିରୀକ୍ଷକ ବିନାୟକ ଶିରିକା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଦୁଇଟି ଘର ବୁଲି ଦେଖିବା ସହ କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାପଡ଼ିଛି। ତେବେ ରାଜସ୍ବ ବିଭାଗ ପକ୍ଷରୁ ଏହି ପରିବାରକୁ କେବଳ ପଲିଥିନ୍ ଖଣ୍ଡିକ ଦେଇ କାମ ସାରି ଦେଇଥିବାରୁ ଆମେ ଏବେ କେଉଁଠି ମୁଣ୍ଡ ଗୁଂଜିବୁ ଏବଂ କଣ ଖାଇବୁ ବୋଲି ବର୍ଜ ମିଣିଆକା ଏବଂ ବିକୁଣୁ ମିଣିଆକା କହିଛନ୍ତି। ତେବେ ବିପନ୍ନ ପରିବାରର ସମସ୍ତ ସଦସ୍ୟ ନିକଟସ୍ଥ କୁଡ଼ିଆକୁ ଚାଲିଯାଇଥିବାରୁ ଜୀବନ ବଞ୍ଚିଯାଇଥିଲା ବୋଲି କୁହାଯାଇଛି। ଏନେଇ ତହସିଲଦାର ଶ୍ରୀ ଚୌଧୁରୀଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ କରି ସରକାରଙ୍କ ନିୟମ ଅନୁସାରେ ସହାୟତା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ଏହି ଦୁଇଟି ପରିବାର ଗରିବ ହୋଇଥିବାରୁ ଆବାସ ଯୋଜନା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।