ସାତକୋଶିଆ ଇକୋରିଟ୍ରିଟ୍‌‌ରେ ଅଗ୍ନିକାଣ୍ତ: ବିଦ୍ୟୁତ ସଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅଳ୍ପକେ ବର୍ତ୍ତିଲେ ଟ୍ରାନ୍ସପୋର୍ଟ କମିସନର ସଂଜୀବ ପଣ୍ଡା ଏବଂ ତାଙ୍କର ପତ୍ନୀ ତଥା ଗୃହବିଭାଗ ସ୍ବତନ୍ତ୍ର ସଚିବ ସଂତୋଷ ବାଲା

କଟକ/ନରସିଂହପୁର: କଟକ ଜିଲ୍ଲା ନରସିଂହପୁରଠାରେ ଥିବା ସାତକୋଶିଆ ଇକୋରିଟ୍ରିଟରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ବେଳେ ନିଆଁ କବଳରୁ ଟ୍ରାନ୍ସପୋର୍ଟ କମିସନର ସଂଜୀବ ପଣ୍ଡା ଏବଂ ତାଙ୍କର ପତ୍ନୀ ତଥା ଗୃହବିଭାଗ ସ୍ବତନ୍ତ୍ର ସଚିବ ସଂତୋଷ ବାଲା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଟ୍ରାନ୍ସପୋର୍ଟ କମିସନର ଶ୍ରୀ ପଣ୍ଡା ଏହା ଟୁଇଟ୍ କରି ପ୍ରକାଶ କରିଛନ୍ତି। ଘଟଣା ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଟୁଇଟ୍ କରି ସୂଚନା ଦିଆଯାଇଛି। ଏଥିସହ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ,ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳର ମହାନଦୀ ନଦୀପଠାର ବାଲିପୁଟରେ ଚାଲିଥିବା ଇକୋରିଟ୍ରିଟରେ ନିର୍ମିତ ହୋଇଥିବା ଅସ୍ଥାୟୀ ଟେଣ୍ଟରେ ବିଦ୍ୟୁତ ସଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ଭୋର ୫.୨୫ ମିନିଟ୍‌ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ପ୍ରଥମେ ଗୋଟିଏ ଟେଣ୍ଟରେ ନିଆଁ ଲାଗିବା ପରେ ଆଉ ଦୁଇଟି ଟେଣ୍ଟକୁ ବ୍ୟାପିଥିଲା। ଏହିପରି ଭାବରେ ନିଆଁ ସମଗ୍ର ଇକୋରିଟ୍ରିଟରେ ବ୍ୟାପିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଇକୋ ରିଟ୍ରିଟ କର୍ମଚାରୀ ନରସିଂହପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଇକୋରିଟ୍ରିଟରେ ୨୭ଟି ଟେଣ୍ଟ ହାଉସ ଥିବାବେଳେ ସେଥିରୁ ୩ଟି ଡିଲକ୍ସ ଟେଣ୍ଟ ଥିଲା।

ଅଗ୍ନିକାଣ୍ଡ ସମୟରେ ସେଠାରେ ୧୪ଟି ଟେଣ୍ଟରେ ୪୦ ଜଣ ପର୍ଯ୍ୟଟକ ଥିଲେ। ତେବେ କୌଣସି ପର୍ଯ୍ୟଟକଙ୍କ କିଛି କ୍ଷତି ଘଟି ନ ଥିବା ବେଳେ ଘଟଣାରେ କାହାରି ଜୀବନ ହାନି ହୋଇ ନ ଥିବା ଜଣାପଡିଛି। କିନ୍ତୁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ  ଏହି ନିଆଁ ସଟ୍‌ସର୍କିଟରୁ ହୋଇଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଟୁଇଟ୍ କରି ସୂଚନା ଦିଆଯାଇଛି । ଅନ୍ୟପଟେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଇକୋରିଟ୍ରିଟଠାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହିତ ଘଟଣାସ୍ଥଳ ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର