ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଜୀବନ ଏବେ ବିପଦରେ। କାରଣ ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ଲାଗିଥିବା ଅଗ୍ନି ନିରାପତ୍ତା ଯନ୍ତ୍ର ଗୁଡିକର ଅବଧି ଶେଷ ହୋଇ ଦୁଇ ମାସରୁ ଅଧିକ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ବଦଳାଯାଇ ନାହିଁ। ଯନ୍ତ୍ର ଗୁଡିକରେ ଗ୍ରୀନ ଲାଇଟ ବଦଳରେ ଜଳୁଛି ବିପଦ ଲାଇଟ। ବିଭାଗୀୟ ଅଧିକାରୀ ଚିଠି ଯୋଗେ ପୂର୍ତ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ। ରାଜ୍ୟ ଏବଂ ରାଜ୍ୟ ବାହାରେ ବଡ ବଡ ବିଭିନ୍ନ ମଲ ଏବଂ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟି କ୍ଷତି ହେଉଛି। ପ୍ରଶାସନ ଲୋକ ଦେଖାଣିଆ ଯାଞ୍ଚ କରୁଥିବା ବେଳେ ଚିକିତ୍ସାଳୟ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ମାଲକାନଗିରି ସଦର ମହକୁମାରେ ଥିବା ୭ ମହଲା ବିଶିଷ୍ଟ ଚିକିତ୍ସାଳୟରେ ଲାଗିଥିବା ଅଗ୍ନି ନିରାପତ୍ତା ଯନ୍ତ୍ର, ଯାହାକି ୨୮.୩.୨୦୧୯ରେ ଲାଗିଥିବା ବେଳେ ଅବଧି ସରିଛି ୨୨.୩.୨୨ରେ।ଅର୍ଥାତ ଚଳିତବର୍ଷ ମାର୍ଚ୍ଚ ମାସରେ ଏହାର ଅବଧି ସରିଥିଲେ ମଧ୍ୟ ଅଢେଇ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ଏହାକୁ ବଦଳାଯାଉ ନାହିଁ। ଏହି ଚିକିତ୍ସାଳୟ ନିର୍ମାଣ ହେବା ପରେ ଅଗ୍ନି ନିରାପତ୍ତା ହୋଇନଥିବାରୁ ଦୀର୍ଘ ୬ ମାସ ଧରି ଚିକିତ୍ସା ସେବା ଆରମ୍ଭ ହୋଇନଥିଲା। କିନ୍ତୁ ଏବେ ଅଗ୍ନି ନିରାପତ୍ତାର ଅବଧି ଶେଷ ହୋଇଥିଲେ ମଧ୍ୟ ୩୦୦ ଶଯ୍ୟା ବିଶିଷ୍ଟ ଏହି ୭ ମହଲା କୋଠାରେ ଶହ ଶହ ରୋଗୀ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ରୋଗୀଙ୍କ ସଂପର୍କୀୟ, ମେଡିକାଲ କର୍ମଚାରୀ ଏବଂ ଓପିଡିରେ ଚିକିତ୍ସା ହେବା ପାଇଁ ଆସୁଥିବା ରୋଗୀଙ୍କ ଜୀବନ ଏବେ ବିପଦ ମୁଖରେ। ଯଦି କୌଣସି ସମୟରେ ଅଘଟଣ ଘଟିଯାଏ ତେବେ ସହଜରେ ରକ୍ଷା ପାଇପାରିବେନି ଲୋକେ।

Advertisment

ଯାହା ଦ୍ବାରା ଅନେକ ଧନ ଜୀବନ ଏହି ଭୁଲ ପାଇଁ କ୍ଷତି ହେବାର ସମ୍ଭାବନା ରହିଛି। ରାଜ୍ୟ ଓ ରାଜ୍ୟ ବାହାରେ ବାରମ୍ବାର ମୋଲ ଓ ଚିକିତ୍ସାଳୟ ଗୁଡିକରେ ଅଗ୍ନିକାଣ୍ଡ ଘଟି ଅନେକ ଧନଜୀବନ କ୍ଷତି ହେଉଥିବା ସମୟରେ ପ୍ରଶାସନ ହଠାତ ସଜାଗ ହୋଇ ଅଗ୍ନି ନିରାପତ୍ତା ଯାଞ୍ଚ ଓ ମକଡ୍ରୀଲ କରି ସଚେତନତା କାର୍ଯ୍ୟ କରିଥାଏ। କିନ୍ତୁ ମାଲକାନଗିରି ଜିଲ୍ଲାର ବାସ୍ତବ ସ୍ଥିତି କିନ୍ତୁ ଅଲଗା। ୭ ମହଲା ବିଶିଷ୍ଟ ଚିକିତ୍ସାଳୟର ଅଗ୍ନି ନିରାପତ୍ତା ପାଇଁ ସନମେକ୍ସ ନାମକ ଏକ କମ୍ପାନିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଦିଆଯାଇଥିଲା। ଅବଧି ସରିବା ପରେ ଚିକିତ୍ସାଳୟର ଦାୟିତ୍ବରେ ଥିବା ଏଡିଏମଓ ବାରମ୍ବାର ଚିଠି ମାଧ୍ୟମରେ ଜଣାଇଥିବା କହିଥିବା ବେଳେ ଗ୍ରାଉଣ୍ଡ ଫ୍ଲର ଓ ପ୍ରଥମ ଫ୍ଲରରେ କିଛି ମାତ୍ରାରେ ଠିକ ଥିବା ବେଳେ ଅନ୍ୟ ୫ ମହଲାରେ ଅବଧି ସଂପୂର୍ଣ୍ଣ ଭାବେ ସରିଯାଇଛି। ବାରମ୍ବାର ଜଣାଇବା ପରେ ବିଭାଗ ଏହା ଉପରେ ଗୁରୁତ୍ବ ଦେଉନଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ମେଡିକାଲ ପକ୍ଷରୁ କୁହାଯାଇଛି।ତୁରନ୍ତ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସମାଧାନ କରନଗଲେ ଆଗାମୀ ଦିନରେ ଅନେକ ଧନ ଜୀବନ କ୍ଷତି ନହେବ ତାହା ବି କିଏ କହିବ।