ଜୟପୁର: ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ। ଚିକିତ୍ସାଳୟ ଠାରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ କେଉଁଠି ବି ଦେଖିବାକୁ ମିଳୁନି ଅଗ୍ନି ନିରାପତ୍ତା। କିଏ ଅଗ୍ନିନିରାପତ୍ତା ପ୍ରମାଣପତ୍ର ରଖିଛନ୍ତି ତ ଆଉ କିଏ ଲୋକ ଦେଖାଣିଆ ପାଇଁ ସିଲିଣ୍ଡର ଲଗାଇ ଦେଇଛନ୍ତି। ଲାଗିଥିବା ଉପକରଣ ଗୁଡିକର ସଠିକ ସମୟରେ ନବୀକରଣ କରାଯାଉନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ୍ ଦିଆଗଲେ ମଧ୍ୟ ତାହାକୁ ଖାତିର ନାହିଁ। କିନ୍ତୁ ସେହି ଅନୁଷ୍ଠାନ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରୁନାହିଁ। ଜୟପୁରରେ ଅଗ୍ନିନିରାପତ୍ତା ନିୟମକୁ ଖୋଲାଖୋଲି ଉଂଲଘନ କରୁଥିବାର ଦେଖିବାକୁ ମିଳିଛି। ଜୟପୁରରେ ହାତଗଣତି କେତେକ ଅନୁଷ୍ଠାନ ହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରଖିଛନ୍ତି, ଅଧିକାଂଶ ଅନୁଷ୍ଠାନରେ ନିକଟରେ ଅଗ୍ନିନିରାପତ୍ତା ପ୍ରମାଣପତ୍ର ନାହିଁ। ସେଠାରେ ଲେକେ କେତେ ସୁରକ୍ଷିତ ରହିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜୟପୁର ସହର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପିଲାମାନେ ପଢ଼ିବା ପାଇଁ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲୁଛି। ବିଡ଼ମ୍ବନାର ବିଷୟ ଜୟପୁରର ସରକାରୀ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ବେଳେ ଘରୋଇ ବିଦ୍ୟାଳୟ ଗୁଡିକରେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। କେବଳ ୨ଟି ଘରୋଇ ବିଦ୍ୟାଳୟରେ ହିଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ରହିଛି।
ତେବେ ବଳକା କୌଣସି ବିଦ୍ୟାଳୟରେ ମଧ୍ୟ ପ୍ରମାଣପତ୍ର ନାହିଁ। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଜଣେ ଜଣେ ଛାତ୍ରଛାତ୍ରୀଙ୍କ ଠାରୁ ଫି’ ବାବଦକୁ ମାସକୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି ସେମାନେ ପିଲାଙ୍କର ସୁରକ୍ଷା ଦିଗରେ ଆଖି ବୁଜି ଦେଇଛନ୍ତି। ଶିକ୍ଷା ତ ଦୂରର କଥା ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏହି ନିୟମକୁ ଉଂଲଘନ କରାଯାଉଛି। ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନାହିଁ। ବିଗତ ଦିନରେ ଭୁବନେଶ୍ବର ସମ୍ ହସ୍ପଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଚିକିତ୍ସାଳୟ ମାନଙ୍କରେ ଅଗ୍ନି ନିରାପତ୍ତା ନିୟମକୁ କଡାକଡି କରାଯାଇଥିବା ବେଳେ ସରକାରୀ ଚିକିତ୍ସାଳୟରେ ହିଁ ଏହାକୁ ଅଣଦେଖା କରାଯାଉଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ଶହଶହ ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ଅତ୍ୟାଧୁନିକ ମେସିନ ଗୁଡିକ ଖଞ୍ଜା ହୋଇଛି, ସେଠାରେ ଲୋକେ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ସହରରେ ଥିବା ଘରୋଇ ଚିକିତ୍ସାଳୟରେ ମଧ୍ୟ ଅଗ୍ନିନିରାପତ୍ତା ସାର୍ଟିଫିକେଟ୍ ନାହିଁ। ଜୟପୁରରେ ୧୦ଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ସମସ୍ତ ପମ୍ପରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି। କିନ୍ତୁ ୪ଟି ଗ୍ୟାସ ଗୋଦାମ ରହିଥିବା ବେଳେ କେବଳ ଗୋଟିଏ ଗୋଦାମ (ଇଣ୍ଡିଆନ୍ ଗ୍ୟାସ ଏଜେନ୍ସି) ହିଁ ସାର୍ଟିଫିକେଟ୍ ପାଇଛି ବଳକା ୩ଟି କାମଚଳାରେ ଚଲାଇଛନ୍ତି। ସେହିପରିରେ ସହରରେ ୪ଟି ସପିଂ ମଲ୍ ରହିଥିବା ବେଳେ ଗୋଟିଏ (ଏସ୍ଆର ମଲ୍) ହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରଖିଥିବା ବେଳେ ବଳକା ୩ଟି ମଲ୍ ଆଜି ପର୍ଯ୍ୟନ୍ତ ପ୍ରମାଣପତ୍ର ନେଇନାହାଁନ୍ତି। ସେହିପରି ସିନେପ୍ଲେକ୍ସ ହିଁ ପ୍ରମାଣପତ୍ର ରଖିଥିବା ବେଳେ ଅନ୍ୟ ହଲ୍ ଗୁଡିକ ଅଗ୍ନି ନିରାପତ୍ତା ରଖନଥିବା ଜଣାପଡିଛି। ଏଥିସହ ଉମୁରୀ ଡିଷ୍ଟିଲେରୀରେ ଅଗ୍ନି ନିରାପତ୍ତା ରହିଥିବା ଜଣାପଡିଛି। ବିଡମ୍ବନାର ବିଷୟରେ ଜୟପୁରରେ ଥିବା କୌଣସି ବି ରାଇସ୍ମିଲ୍ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନନେଇ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଛନ୍ତି।
ଜୟପୁର ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକଙ୍କ କହିବାନୁଯାୟୀ, ସହର ଓ ଗ୍ରାମାଞ୍ଚଳରେ ହାତ ଗଣତି ଅନୁଷ୍ଠାନ ହିଁ ପ୍ରମାଣପତ୍ର ନେଇଛନ୍ତି। ଚିକିତ୍ସାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନକୁ ଅଗ୍ନି ନିରାପତ୍ତା ଉପକରଣ ରଖିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ଉପକରଣ ଲଗାଯିବା ସହ ଜଣେ ଅଗ୍ନିନିରାପତ୍ତା ସୁପରଭାଇଜରକୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚିକିତ୍ସାଳୟ ପକ୍ଷରୁ କୌଣସି ଆବେଦନ କରାଯାଇନଥିବା ବେଳେ ସେମାନଙ୍କୁ ଅଗ୍ନିନିରାପତ୍ତା ପ୍ରମାଣପତ୍ର ଦିଆଯାଇନାହିଁ ବୋଲି କହିଛନ୍ତି। ଏଥିସହ ବିଭିନ୍ନ ଅନୁଷ୍ଠାନ ଓ କୋଠା ଅନୁଯାୟୀ ତାହାର ଅଲଗା ଅଲଗା ନିରାପତ୍ତା ଉପକରଣ ରହିଛି। ଅଗ୍ନି ସତର୍କ ଘଣ୍ଟି, ପାଣି ଟାଙ୍କି, ମୋଟର, ଅଗ୍ନି ନିର୍ବାପକ ଯନ୍ତ୍ର ଭଳି ବହୁ ଉପକରଣର ଆବଶ୍ୟକତା ରହିଛି। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।