ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଟି ବଖରା ଭସ୍ମୀଭୂତ ହୋଇଥିବା ବେଳେ ଆଖିପିଛୁଳାକେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ବାଉଁଶକଣା ମାଟିଆ ସାହିର ବିଶ୍ୱନାଥ ପ୍ରଧାନଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଆଖପାଖର ଘରକୁ ବ୍ୟାପିଯାଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
/sambad/media/post_attachments/9854b065ca8fa213173a905061783d39941d9426ac6cf5cb34b81d8d85c3d0ed.jpg)
ତେବେ ନିଆଁ ଆୟତ୍ତ ହେବା ପୂର୍ବରୁ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା। ଖାସକରି ବିଶ୍ୱନାଥଙ୍କ ପରିବାର ପାଇଁ ନିଆଁ ନେଇ ଆସିଥିଲା ବଡ ବିପଦ । କାରଣ ବିଶ୍ୱନାଥ ଆଉ ଦିନ କେଇଟା ପରେ ଝିଅକୁ ବାହା ଦେଇଥାନ୍ତେ। ନିର୍ବନ୍ଧ ସରିଥିବା ବେଳେ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିଲା । ଲୁଗା ପଟା ଠାରୁ ଆରମ୍ଭ କରି ସୁନା ଗହଣା, ବିବାହ ପାଇଁ ସବୁ ସାମଗ୍ରୀ କିଣା ସରିଥିଲା । କିନ୍ତୁ ଗୋଟିଏ ରାତି ହିଁ ସବୁକିଛି ବଦଳାଇ ଦେଇଥିଲା ।
/sambad/media/post_attachments/2e59ef5cadb081ccc0bd0ed5b1b38cea985160670f8fa891d4add697ee180a05.jpg)
ଆଖି ପିଛୁଳାକେ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା । କେବଳ ପିନ୍ଧାଲୁଗା ଛାଡିଦେଲେ ଆଉ ସବୁକିଛି ଶେଷ ହୋଇ ଯାଇଥିଲା ନିଆଁର ଆଁରେ । ଆଉ ଏବେ ଝିଅ ବାହାଘର କେମିତି ହେବ ଓ ବାହାଘର ପାଇଁ ଏତେ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତା ଏବେ ବିଶ୍ୱନାଥଙ୍କୁ ଘାରିଛି ।
ନିଆଁରେ ସର୍ବସ୍ୱ ହରାଇବା ପରେ ପ୍ରଶାସନ ପକ୍ଷରୁ କେବଳ ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ କୌଣସି ସହାୟତା ଏଯାଏଁ ମିଳିନାହିଁ । ମାର୍ଚ୍ଚ ୧୧ରେ ଝିଅର ବାହାଘର ଥିବା ବେଳେ ସରକାରଙ୍କ ଠାରୁ କିଛି ସହାୟତା ଆଶା ରଖିଛନ୍ତି ବିଶ୍ୱନାଥଙ୍କ ପରିବାର ।