ବିଭିନ୍ନ ସ୍ଥାନରୁ ଅଢ଼େଇ ଲକ୍ଷ ଟଙ୍କାର ବାଣ ଜବତ 

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳ ଜିଲ୍ଲାରେ ଆଜି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ନିଷିଦ୍ଧ ରସାୟନରେ ନିର୍ମିତ ବାଣ ଜବତ କରାଯାଇଥିବା ବେଳେ ଏହି ମାମଲାରେ ୯ଜଣଙ୍କୁ ଗିରଫ କରାଯାଇଛି ।

ଆଜି ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ବିଭିନ୍ନ ଥାନା ଅଂଚଳରେ ଚଢ଼ଉ କରାଯାଇଥିଲା । ଖୋର୍ଦ୍ଧା ଟାଉନ୍ ଥାନା ଅଧୀନରେ ଉପରସାହିରେ ଚଢ଼ଉ କରାଯାଇ ପ୍ରଦୀପ କୁମାର ନାୟକ(୪୭)ଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ପ୍ରାୟ ୧୦ହଜାର ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି । ଏନେଇ ୪୪୩/୨୦୨୧ରେ ମାମଲା ରୁଜୁ କରାଯାଇଛି । ସେହିଭଳି ବେଗୁନିଆ ଥାନାରେ ବଡ଼ବେରଣ ଠାରେ ଚଢ଼ଉ କରାଯାଇ ସନ୍ତୋଷ କୁମାର ସାହୁ ଓ କୁଂଜବିହାରୀ ସାହୁଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ପ୍ରାୟ ୩୦ହଜାର ଟଙ୍କାର ବାଣ ଜବତ କରାଯାଇଛି ।

ଏନେଇ ୨୧୭ ଓ ୨୧୮/୨୦୨୧ରେ ଦୁଇଟି ମାମଲା ରୁଜୁ କରାଯାଇଛି । ବୋଲଗଡ଼ର ପନ୍ଦରଦଳପଡ଼ିଆରେ ଚଢ଼ଉ କରାଯାଇ ସୁକଦେବ ପୃଷ୍ଟି (୫୮) ଓ କବୀନ୍ଦ୍ର କୁମାର ପୃଷ୍ଟିଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନିକଟରୁ ପ୍ରାୟ ୫୦ହଜାର ଟଙ୍କା ମୂଲ୍ୟର ବାଣ ଜବତ କରାଯିବା ସହ ୧୮୬ ଓ ୧୮୭/୨୦୨୧ରେ ଦୁଇଟି ମାମଲା ରୁଜୁ କରାଯାଇଛି । ବାଘମାରି ଥାନା ଅଧୀନ ସୋମନାଥପୁର, ଲେଖନପୁରରେ ଚଢ଼ଉ କରାଯାଇ ରାଜ କିଶୋର ବାରିକ (୪୨), ପବିତ୍ର ସାହୁ (୩୫)ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୪୫ ହଜାର ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି ।

ଏନେଇ ୧୦୦ ଓ ୧୦୧/୨୦୨୧ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । ସେହିଭଳି ବାଲୁଗାଁ ଥାନା ଅଂଚଳରେ ଚଢ଼ଉ କରାଯାଇ ସତୀଶ କୁମାର ପଣ୍ଡା ଓ ବାଣପୁର ଥାନା ଅଧୀନ ଅଲାଇଡିହର ସନ୍ତୋଷ କୁମାର ଜେନାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ  ୧ଲକ୍ଷ ୧୦ହଜାର ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି ।

ସମସ୍ତ ଜବତ ବାଣର ମୂଲ୍ୟ ୨ଲକ୍ଷ ୪୫ହଜାର ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୯ଟି ପୃଥକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍ପି ରାଜ କିଶୋର ଦୋରା କହିଛନ୍ତି ।

ସମ୍ବନ୍ଧିତ ଖବର