ସୁନ୍ଦରଗଡ଼ରେ ଫୁଟିଲା ଗୁଳି, ଥାନାବରେ ଦୁଇଟି ଏତଲା

ସୁନ୍ଦରଗଡ଼ : ରବିବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ମହନ୍ତିଆପଡ଼ାରେ ଫାଙ୍କା ଗୁଳି ଚାଳନା ହୋଇଛି। ତେବେ ରାତିରେ ଘଟଣାଟି ଘଟିଥିବାରୁ କେହି ତାର ଟେର୍ ପାଇ ନଥିଲେ। ଥାନାକୁ ଏ ସମ୍ପର୍କିତ ଦୁଇଟି ଏତଲା ଆସିବା ପରେ ଘଟଣାଟି ସାମ୍ନାକୁ ଆସିଛି। ପୁଲିସ ମାମଲା ରୁଜୁ କରି ଛାନ୍ଭିନ୍ ଚଲାଇଛି। କିନ୍ତୁ ବନ୍ଧୁକ ଜବତ ହୋଇପାରି ନଥିବା ସୂଚନା ମିଳିଛି। ମହନ୍ତିଆପଡ଼ାର କୁନ୍ଦନ ତନ୍ତୀ ଦେଇଥିବା ଏତଲା ଅନୁସାରେ, ସେ କୋଭିଡ୍ କାମ ସାରି ଘରକୁ ଫେରୁଥିବା ବେଳେ ପଡ଼ାର ଯଶୋବନ୍ତ ପାଣ୍ଡବ, ଜିତୁ ପାଣ୍ଡବ, ସୂରଜ ପାଣ୍ଡବ, ରାଜ୍ୟ ପାଣ୍ଡବ ଅଟକାଇ ଲୁହା ଛଡ଼, ବନ୍ଧୁକ ଓ ତଲୱାର ଧରି ମଣ୍ଡପ ପାଖରେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରାଣ ଭୟରେ କୁନ୍ଦନ ଦୌଡ଼ି ପଳାଇ ଯାଇଥିଲେ। ଏହା ପରେ ପଛରୁ ବନ୍ଧୁକରୁ ଗଳି ଫୁଟାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ଜିତୁ ପାଣ୍ଡବ ଦେଇଥିବା ଏତଲା ଅନୁସାରେ, କୁନ୍ଦନ ତନ୍ତୀ ତାଙ୍କ ଘର ପାଖକୁ ଆସି ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ପରିବାର ସମସ୍ତଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ପୂର୍ବରୁ ମଧ୍ୟ କୁନ୍ଦନ ତନ୍ତୀ, ଚନ୍ଦନ ତନ୍ତୀ, ତାରାକାନ୍ତ ତନ୍ତୀ, ବଣ୍ଟି ତନ୍ତୀ, ମୁରାରୀ ତନ୍ତୀ ଓ ଅନ୍ୟମାନେ ମାଡ଼ପିଟ କରିଥିବା ଓ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିବା ଜିତୁ ଉଲ୍ଲେଖ କରିଛନ୍ତି। ଗୁଳି ଚାଳନାକୁ ନେଇ ଉଭୟ ପକ୍ଷ ଉଭୟଙ୍କ ଉପରେ ଆରୋପ ଲଗାଇଥିବା ବେଳେ ପୁଲିସ ତାର ଖୋଳତାଡ଼ ଚଲାଇଛି। ପ୍ରକାଶଯୋଗ୍ୟ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଛି।

ସମ୍ବନ୍ଧିତ ଖବର