କୋରାପୁଟ:ପୁଲିସ ଗାଡ଼ି ଉପରକୁ ପାୟାରିଂ, ଏସଆଇଙ୍କ ବେକରେ ବାଜିଛି ଗୁଳି

ଲମତାପୁଟ(କୋରାପୁଟ): ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମାଛକୁଣ୍ଡ ଥାନା ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ମାଛକୁଣ୍ଡ ଥାନାର ସବ୍‌ ଇନସପ୍ଟେର ପ୍ରଦୀପ ନାୟକ ଆହତ ହୋଇଛନ୍ତି। ଶ୍ରୀ ନାୟକଙ୍କ ବେକରେ ଗାଟିଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ମାଛକୁଣ୍ଡ ଥାନା ପୁଲିସ ପାଟ୍ରୋଲିଂ କରିବା ପାଇଁ ଯାଇଥିଲେ। ରାତି ପ୍ରାୟ ୧୧ଟା ବେଳେ ପୁଲିସ ଗାଡ଼ି ଜଲାପୁଟ ପୋଲ ଅତିକ୍ରମ କରିବା ମାତ୍ରେ ଅଚାନକ ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତମାନେ। ତେବେ ଏଡି ଗୁଳି ମଧ୍ୟରୁ ଗୋଟିଏ ଗୁଳି ସବ୍‌ ଇନସପ୍ଟେର ଶ୍ରୀ ନାୟକଙ୍କ ବେକରେ ବାଜିଥିଲା। ତେଣୁ ସଙ୍ଗେ ସଙ୍ଗେ ପୁଲିସ ଟିମ୍‌ ଘଟଣାସ୍ଥଳରୁ ଫେରି ଆସିଥିଲେ।
ଏହି ଗୁଳିକାଣ୍ଡ ନେଇ ପୁଲିସ ଦୁଇ ପ୍ରକାର ସନ୍ଦେହ କରୁଛି। ପ୍ରଥମଃ ଗଞ୍ଜେଇ ଚୋରା ବେପାରିମାନେ ପୁଲିସ ଉପରେ ରାଗ ରଖି ଏହି ଗୁଳିକାଣ୍ଡ ଘଟାଇ ପୁଲିସକୁ ଭୟଭିତ କରିବା ପାଇଁ ଯୋଜନା କରିଛନ୍ତି। ଦ୍ୱିତୀୟତଃ ଏହା ନକ୍ସଲମାନଙ୍କ କାର୍ଯ୍ୟ ମଧ୍ୟ ହୋଇଥାଇପାରେ। ତେବେ ଏ ପର୍ଯ୍ୟନ୍ତ ପୁଲସ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ।

ସମ୍ବନ୍ଧିତ ଖବର