ଗାଡ଼ି ପାର୍କିଂକୁ ନେଇ ବାଲେଶ୍ୱର ସହରରେ ଫୁଟିଲା ଗୁଳି; ବ୍ୟବସାୟୀ ଗୁରୁତର, ବନ୍ଧୁକ ସହ ୫ଟି ଗୁଳି ଜବତ

ବାଲେଶ୍ବର: ଗାଡ଼ି ପାର୍କିଂକୁ ନେଇ ମହାଭାରତ। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସକାଳେ ହୋଇଥିବା ସାମାନ୍ୟ ଝଗଡ଼ାର ପରିଣାମ ସନ୍ଧ୍ୟାବେଳକୁ ଗୁଳିକାଣ୍ଡରେ ଅନ୍ତ ହୋଇଛି। ଶନିବାର ସନ୍ଧ୍ୟାରେ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ପ୍ରଫେସର ହୋଇଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ବ୍ୟବସାୟୀ ବୋଲି ଜଣାପଡ଼ିଛି।
ମିଳିଥିବା ଖବର ମୁତାବକ, ଗୁଳିକାଣ୍ଡରେ ଅଭିଯୁକ୍ତ ଥିବା ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା (୬୫) ଏବଂ ବ୍ୟବସାୟୀଙ୍କ ନାଁ ଆନନ୍ଦ ସିଂହ (୪୧)। ଉଭୟ ବାଲେଶ୍ବର ଗଡ଼ଗଡ଼ିଆ ଛକଠାରେ ଥିବା ସଞ୍ଜୟ ହାଇଟ୍‌ସ ଆପାର୍ଟମେଣ୍ଟର ୫୧୧ ଓ ୫୦୬ ନମ୍ବର ଫ୍ଲାଟ୍‌ରେ ସପରିବାର ରହୁଛନ୍ତି। ଆଜି ସକାଳେ ଆପାର୍ଟମେଣ୍ଟ ତଳେ ଥିବା ପାର୍କିଂସ୍ଥାନରେ ନିଜ ନିଜର ଗାଡ଼ିପାର୍କିଂକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ କଳିଝଗଡ଼ା ହୋଇଥିଲା। ଆପାର୍ଟମେଣ୍ଟବାସୀଙ୍କ ହସ୍ତକ୍ଷେପ ପରେ ଦୁହେଁ ଯେଝା ବାଟରେ ଯାଇଥିଲେ ମଧ୍ୟ ପ୍ରଫେସର ଶ୍ରୀ ବେହେରା ରାଗରେ ରକ୍ତ ଚାଉଳ ଚୋବାଉଥିଲେ। ସନ୍ଧ୍ୟାରେ ଆନନ୍ଦ ସିଂହ ଆପାର୍ଟମେଣ୍ଟକୁ ଫେରିବାବେଳେ ତଳେ ଜଗି ରହିଥିବା ପ୍ରଫେସର ଲକ୍ଷ୍ମଣ ବେହେରା ସିଧା ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ବୁଝିବା ପୂର୍ବରୁ ଛାତିରେ ଗୁଳି ଖାଇ ତଳେ ପଡ଼ି ଯାଇଥିଲେ ଆନନ୍ଦ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଟଳି ପଡ଼ିଥିବାବେଳେ ଗୁଳି ଶଦ୍ଦ ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ। ଘଟଣାସ୍ଥଳରେ ଟାଉନ୍‌ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପହଞ୍ଚି ଗୁରୁତର ଆନନ୍ଦଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ପଠାଇ ବନ୍ଧୁକ ସହ ଅଭିଯୁକ୍ତ ପ୍ରଫେସରଙ୍କୁ ଥାନାକୁ ଆଣିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି। ସବିଶେଷ ସୂଚନା ମୁତାବକ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିବାରୁ ରାତିରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର