ଯାଜପୁର: ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଓ ଯାଜପୁର ପୁଲିସ ଏସପିଙ୍କ ବାସଭବନ ସମ୍ମୁଖରେ ଜଣେ ବୋଲେରୋ ଡ୍ରାଇଭରଙ୍କୁ ଅଟକାଇ କେତେକ ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଗୁଳି ସମ୍ପୃକ୍ତ ଡ୍ରାଇଭରଙ୍କ  ଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳର ଜଣେ ରୋଗୀଙ୍କୁ ନେଇ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ଜମୀର ଖାଁ ନାମକ ଜଣେ ଡ୍ରାଇଭର ଏକ ବୋଲେରୋ ଗାଡିିରେ କଟକ ନେଇ ଆସୁଥିଲେ। ସକାଳ ପ୍ରାୟ ୬ଟା ବେଳେ ସେମାନେ ପାଣି କୋଇଲି ସ୍ଥିତ ଏସପି ଙ୍କ ବାସଭବନ ଓ ଥାନା ସମ୍ମୁଖରେ ଯାଉଥିବା ବେଳେ୪/୫ ଜଣ ଦୁର୍ବୃତ୍ତଏକ ଟାଟା ସଫାରି ଗାଡ଼ିିରେ ଆସି ସେମାନଙ୍କୁ ଅଟକାଇବା ସହିତ ଡ୍ରାଇଭର ଉପରକୁ ଗୁଳିମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ପାଣିକୋଇଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଆହତଙ୍କୁ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇବା ସହିତ ଘଟଣାରର ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ପୁଲିସ ଫୁଟା ଯାଇଥିବା ଗୁଳିର ଖୋକା ଜବତ କରିଛି। ତେବେ ହଠାତ ଦୁର୍ବୃତ୍ତମାନେ କାହିଁକି ଗାଡ଼ି ଅଟକାଇ ଡ୍ରାଇଭରକୁ ଆକ୍ରମଣ କଲେ ତାହା ଜଣାପଡ଼ି ନାହିଁ। ରୋଗୀ ଓ ଡ୍ରାଇଭରଙ୍କ ଭାଇ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।