ଝାରସୁଗୁଡା: ଗୁଳିମାଡ଼ କରି ଫେରାର୍‌ ହେଉଥିବା ବେଳେ ସେଠାରେ ଥିବା ଜଣେ କନେଷ୍ଟବଳ ପ୍ରଥମେ ଗୋପାଳ ଦାସଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଏହାପରେ ତାଙ୍କୁ କିଛି କର୍ମୀ ଠେଲି ଦେବାପରେ ଗୋପାଳ ତଳେ ପଡ଼ି ଯାଇଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ପୁଲିସ ଅଧିକାରୀ ଅଭିଯୁକ୍ତ ହାତରୁ ପିସ୍ତଲ ଛଡ଼ାଇ ନେଉଥିବା ବେଳେ ତାଙ୍କ ହାତରୁ ଆଉ ଜଣେ ବିଜେଡି କର୍ମୀ ଛଡ଼ାଇ ନେଇଥିବା କୁହାଯାଉଛି। ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଖୋଦ୍‌ ପୁଲିସ ତାର ସର୍ଭିସ ପିସ୍ତଲରୁ ଗୁଳି କରିବା ପରେ ସେଠାରେ ପୁଲିସ ଉକ୍ତ ପିସ୍ତଲକୁ ଜବତ କରିବା ପରିବର୍ତ୍ତେ ସେହି ପିସ୍ତଲ ଅନ୍ୟ ଲୋକଙ୍କ ହାତକୁ ଯିବା ଝାରସୁଗୁଡ଼ା ପୁଲିସ ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଦେଖାଇଛି।

Advertisment

ଅଭିଯୁକ୍ତ ନିଜେ ଥିଲେ ସୁରକ୍ଷା ଦାୟିତ୍ବରେ
ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଝାରସୁଗୁଡ଼ା ପୁଲିସ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଗୁଳି ମାରିଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ପିସ୍ତଲ ଦେଇ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରଖିବା ପଛରେ କେଉଁ ଅଧିକାରୀଙ୍କ ହାତ ଅଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।