କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ଗୁଳିମାଡ ହୋଇଛି । ଏଭଳି ଲୋମଟାଙ୍ଗୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ପଂଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ (୫୦ବର୍ଷ) ହୋଇଥିବାବେଳେ ସେ ଆଜି ଝିଲ୍ଲୀ ଗାଁ ସାପ୍ତାହିକ ହାଟରୁ ସଉଦା ନେଇ ଘରକୁ ଫେରୁଥିବା ବେଳେ ଚାଉଳିଆଝରଣ ଗାଁ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଗୁଳି କରାଯାଇଥିଲା । ପ୍ରାୟ ୪ ଜଣ ବ୍ୟକ୍ତି ତାଙ୍କୁ ଏକାକୀ ଘେରି ଗୁଳି କରିଥିଲେ । ତେବେ ତାଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଫାୟାରିଙ୍ଗ ହୋଇଥିବା ଜଣାପଡିଛି ।
ଅର୍ଜୁନଙ୍କ ପଛ ପାଖ ପିଠି ,ଅଣ୍ଟା ଓ ହାତରେ ଗୁଳି ଲାଗିଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ,ଅର୍ଜ୍ଜୁନ ୨୦୧୧ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରକ୍ରିୟା ପ୍ରୀତିକୁ ନେଇ ଚାଉଳିଆଝରଣ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରାୟ ୧୦ ବର୍ଷ କାଳ ଜେଲ ହାଜତରେ ରହି ଗତ ବର୍ଷ ଜୁନ ୫ ତାରିଖ ଦିନ ପାରୋଲରେ ଆସିଥିଲେ । ତେବେ ଆଜି ତାଙ୍କ ଉପରକୁ ଗୁଳିଚାଳନା କରାଯାଇଛି । ଅପରାଧୀମାନେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି । ତେବେ ଏହାକୁ ନେଇ କାମାକ୍ଷାନଗର ଏସ୍ଡିପିଓ ରଞ୍ଜନ କୁମାର ଦେ ଓ ପୁଲିସ ଛାନଭିନ୍ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/32eed766-9560-436a-872a-01bbda9304c7.jpg)