ଜୟପୁର: ଗତ ମଙ୍ଗଳବାର ରାତି ସାଢ଼େ ୧୧ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀରେ ଦୁଇ ଗ୍ୟାଙ୍ଗଷ୍ଟାର ମଧ୍ୟରେ ପତିଆରା ଲଢ଼େଇକୁ ନେଇ ହୋଇଥିଲା ପାଙ୍କା ଗୁଳିଚାଳନା। ଏହି ମାମଲାରେ ଜୟପୁର ସଦରଥାନା ପୁଲିସ ଘଟଣାସ୍ଥଳରୁ ୨ ରାଉଣ୍ଡ ଖୋକା ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ବାକି ସବୁ ଅଭିଯୁକ୍ତ ଘଟଣା ପରଠାରୁ ଚମ୍ପଟ ମାରିଛନ୍ତି। ତେବେ ପୁଲିସ ମିଶନ ଉମୁରୀ ଭାବେ ନିଜ ଅଭିଯାନ ଜାରି ରଖିବା ସହ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିବା ପ୍ରାଥମିକ ଲକ୍ଷ୍ୟ ରଖିଛି। ଏଥି ପାଇଁ ଯୁଗ୍ମ ଟିମ୍ ଗଠନ କରି ଅନ୍ତଃଜିଲ୍ଲା ସମେତ ଅନ୍ତଃରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସୂଚନା ଅନୁଯାୟୀ, ଗତ ୨୪ତାରିଖ ଦିନ ରାତି ସାଢ଼େ ୧୧ଟା ବେଳେ ଉମୁରୀରେ ରହୁଥିବା ଗୋଟିଏ ଗ୍ୟାଙ୍ଗର ମୁଖ୍ୟ ରଂଜିତ ବାଘ, ଗୌତମ ବାଘ, କାର୍ତ୍ତିକ ବାଘ ଓରଫ ପାମ୍ପୁଡୁଙ୍କ ସହ ସଦସ୍ୟମାନେ ଅନ୍ୟ ଗ୍ୟାଙ୍ଗ ସଂଜୟ ସୁନା ଓ ସୁରେନ୍ଦ୍ର ନାୟକ ଓରଫ ସିଂହଲ ଆଦି ବିରୋଧୀ ଗ୍ୟାଙ୍ଗ ସହ ଲାଗି ରହିଥିବା ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଉମୁରୀ ବସଷ୍ଟାଣ୍ଡ ନିକଟରେ ପହଚିଂଥିଲେ। ଏହି ଗ୍ୟାଙ୍ଗ ସେଠାରେ ପାଙ୍କା ଗୁଳି ଚାଳନା କରିଥିଲେ। ଏହା ପରେ ଅଭିଯୋଗକାରୀ ସୁରେନ୍ଦ୍ରଙ୍କ ଘରେ ପଶି ଅନ୍ୟ ଗ୍ୟାଙ୍ଗର ମୁଖିଆ ସଂଜୟଙ୍କୁ ଖୋଜିଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

Advertisment

ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଅଭିଯୁକ୍ତ ଗ୍ୟାଙ୍ଗର ସଦସ୍ୟମାନେ ଗାଡ଼ି ଗୁଡିକରେ ଘଟଣାସ୍ଥଳକୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସକୁ ଦୁଇଟି ଖୋକା ମିଳିଥିଲା। ସଦରଥାନା ପୁଲିସ ମିଶନ ଉମୁରୀ ଅଭିଯାନରେ ଜଣେ ଅଭିଯୁକ୍ତ ସଂଜୀବ ଖୋସ୍ଲାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି। ପୁଲିସ ଏବେ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟାର ସହଯୋଗ ନେଇ କିଭଳି ଧରାଯିବ ସେ ନେଇ ଯୋଜନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳିକି ଏସଡିପିଓ ହରିଶା ବି.ସି ଓ ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡି ଗ୍ୟାଙ୍ଗଷ୍ଟାରମାନଙ୍କ ନାଁରେ ଥିବା ପୁରୁଣା ସବୁ ମାମଲାଗୁଡିକର ପୁଙ୍ଖାନୁପୁଙ୍ଖ ତର୍ଜମା କରି କିଭଳି ଏହି ଗ୍ୟାଙ୍ଗଷ୍ଟାରଙ୍କୁ ଧରାଯିବ ସେହି ଯୋଜନାରେ ଲାଗି ପଡ଼ିଛନ୍ତି। ଏଭଳିକି ପୁଲିସ ଡାଳରେ ଡାଳରେ ଯାଉଥିବା ବେଳେ ଅଭିଯୁକ୍ତମାନେ ପତ୍ର ପତ୍ରରେ ଯିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମଗୁଡିକରେ ପ୍ରକାଶିତ ଖବର ଗୁଡିକୁ ନେଇ ଏମାନେ ଜାଗ୍ରତ ହେବା ସହ ପୁରୁଣା ଆଡ୍ଡା ବଦଳରେ ନୂଆ ନୂଆ ଆଡ୍ଡାରେ ଏମାନେ ବସା ବାନ୍ଧୁଥିବାରୁ ପୁଲିସକୁ ସଫଳତା ମିଳିପାରୁନି।

ଏପରିକି କିଛି ଆଡ୍ଡା ଉପରେ ଚଢ଼ାଉ କରି ଏହି ସ୍ଥିତିରେ ପୁଲିସ ଫେଲ୍ ବି ମାରିଛି। ନିର୍ବାଚନ ପୁର୍ବରୁ ଅଶାନ୍ତ ବାତାବରଣ ସୃଷ୍ଟି କରାଯାଉଛି। ଅପରାଧୀ କାହାରି ନୁହନ୍ତି। ସାମାଜିକ ବ୍ୟବସ୍ଥାରେ ଏଭଳି ଅପରାଧୀମାନେ ଗୋଟିଏ କଳଙ୍କ। ଏଭଳି ଅପରାଧିଙ୍କୁ ଦୃଢ଼ ଭାବେ ଦମନ କରାଯାଉ ବୋଲି କହିଛନ୍ତି ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ। ଗଂଜେଇ ବେପାର, ଡରାଇ ଧମକାଇ ବଟି ଆଦାୟ କରିବା, ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଠିକାଦାରି କରିବା, ଟେଣ୍ଡରରେ ଭାଗ ନେଉଥିବା ଅପରାଧୀଙ୍କୁ ଚିହ୍ନଟ କରି ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ। ଏଭଳି ଅପରାଧ କରି ବିପୁଳ ଟଙ୍କା ଜମା କରୁଥିବା ଅପରାଧୀଙ୍କୁ ପୁଲିସ ଚିହ୍ନଟ କରି ସେମାନଙ୍କ ସଂପତ୍ତି ବ୍ୟାଜାପ୍ତି କରାଯାଉ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ।