ଅକ୍ଷୟତୃତୀୟାରେ ଅନୁକୁଳ ହେଲା ଚାଷ କାମ, ସରକାରୀ ବିହନ ଓ ସାର ଆସିବାରେ ଆହୁରି ଏକ ସପ୍ତାହ ବିଳମ୍ବ

ଖୋର୍ଦ୍ଧା: ମୌସୁମୀ ଠିକଣା ସମୟରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୮ମ କିସ୍ତି ଚାଷୀଙ୍କ ଖାତାକୁ ଆସିଥିବା ବେଳେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମଧ୍ୟ ପହଂଚିଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ କରୋନା ସଂକ୍ରମଣରେ ଚାଷୀ ଓ ଚାଷର ପର୍ବ ଅକ୍ଷୟତୃତୀୟା ଫିକା ପଡ଼ିଥିଲେ ମଧ୍ୟ ଚାଷୀ ନିଜ ଜମିରେ ବିହନ ପାରଂପରିକ ରୀତିନୀତିରେ ଅନୁକୁଳ କରିଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏଯାଏଁ ବିହନ ଓ ସାର ପହଂଚିପାରିନାହିଁ ।

କରୋନା ଭୂତାଣୁ ଦେଶର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । କିନ୍ତୁ କରୋନା ଚାଷୀକୁ ଭୟଭୀତ କରିପାରିନାହିଁ କି ଚାଷକୁ ପ୍ରଭାବିତ କରିପାରିନାହିଁ । ଗତବର୍ଷ କରୋନା ସଂକ୍ରମଣରେ ଜିଲ୍ଲାରେ ରେକର୍ଡ ଧାନ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଠିକଣା ସମୟରେ ମୌସୁମି ଅସିବା ସମ୍ଭାବନା ରହିଥିବାରୁ ଧାନ ଉତ୍ପାଦନ ଆଶାନୁରୂପ ହେବ ବୋଲି ଚାଷୀ ଭରସା କରିଛି । କିନ୍ତୁ କୃଷି ବିଭାଗ ପକ୍ଷରୁ ଏଯାଏଁ ଚାଷୀ ନିକଟକୁ ସରକାରୀ ବିହନ କିମ୍ବା ସାର ପହଂଚିପାରିନାହିଁ ।

ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ତୃତୀୟ ସପ୍ତାହରୁ ଆସିଥାଏ ଓ ସେପ୍ଟମ୍ବର ଶେଷ ସପ୍ତାହ ଯାଏଁ ରହିଥାଏ । ଏହା ପୂର୍ବରୁ ଅପ୍ରିଲ୍ ଦ୍ୱିତୀୟ ସପ୍ତାହରୁ ମଇ ଦ୍ୱିତୀୟ ସପ୍ତାହ ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥାଏ । ଏହି ସମୟରେ ଅକ୍ଷୟତୃତୀୟାରେ ଚାଷୀ ନିଜ କ୍ଷେତରେ ଧାନ ବିହନ ଅନୁକୁଳ କରିଥାଏ । ଏହି ଖରିଫ ଋତୁରେ ମୋଟ ଚାଷ ଜମିର ୬୬ ପ୍ରତିଶତ ଅଂଚଳ ଅର୍ଥାତ୍ ୧ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ପ୍ରତି ହେକ୍ଟର ପିଛା ୫୦ କିଲୋଗ୍ରାମ ବିହନ ହିସାବରେ ୫୩୦୦୦୦୦ ଟନ୍ ବିହନ ଆବଶ୍ୟକ ହୋଇଥାଏ । ତେବେ ଜିଲ୍ଲାରେ ଚାଷୀ ଆବଶ୍ୟକ ବିହନର ୭୦ରୁ ୭୫ ଭାଗ ନିଜର ପାରଂପରିକ ବିହନ ଉପରେ ନିର୍ଭର କରୁଥିବା ବେଳେ ପ୍ରାୟ ୨୫ ଭାଗ ସରକାରୀ ବିହାନ ଉପରେ ନିର୍ଭର କରିଥାନ୍ତି । ସେହଭଳି ବର୍ଷା ଅଭାବ, ବର୍ଷା ଅଧିକ କିମ୍ବା ରୋଗପୋକ ଦ୍ୱାରା ଗୋଟିଏ ଫସଲ ନଷ୍ଟ ହେଲେ ଅନ୍ୟଟି ସୁରକ୍ଷିତ ରହିବ ଏହି ଅଭିଜ୍ଞତାକୁ ନେଇ ଅନେକ ଚାଷୀ ନିଜ ଜମିରେ ଏକାଧିକ ବିହନ ମଧ୍ୟ ପ୍ରୟୋଗ କରିଥାନ୍ତି । ଯେଉଁ ଅଂଚଳରେ ପାଣିର ସମସ୍ୟା ରହିଛି ବିଶେଷତଃ ବୋଲଗଡ଼, ଚିଲିକା, ବାଣପୁର ଆଦି ବ୍ଲକରେ ସରକାରୀ ବିହନ ଉପରେ ଚାଷୀ ଅନ୍ୟ ବ୍ଲକର ଚାଷୀ ଅପେକ୍ଷା ଅଧିକ ନିର୍ଭର କରିଥାନ୍ତି ।

ଅପରପକ୍ଷରେ ପ୍ରତି ହେକ୍ଟର ପିଛା ୬୪ କିଲୋଗ୍ରାମ ପିଛା ଜିଲ୍ଲାରେ ଧାନ ଚାଷ ହେଉଥିବା ୧ଲକ୍ଷ ୮ହଜାର ହେକ୍ଟର ଧାନ ଜମି ପାଇଁ ମୋଟ ୬୭୮୪୦୦୦ ଟନ ସାର ବିନିଯୋଗ ହୋଇଥାଏ । ଜିଲ୍ଲା କୃଷି ବିଭାଗର ସୂଚନାନୁସାରେ, ପ୍ରତିବର୍ଷ କୃଷି ବିଭାଗ ପକ୍ଷରୁ ୭ହଜାରରୁ ୮ ହଜାର କ୍ୱିଂଟାଲ୍ ବିହନ ଯୋଗାଇ ଦିଆଯାଇଥାଏ । ସେହିଭଳି ୭୫୦୦ ମେଟ୍ରିକ୍ ଟନ୍ ଏନ୍‌ପିକେ, ୟୁରିଆ, ଡିଏପି ଆଦି ସାର ବିଭିନ୍ନ କେନ୍ଦ୍ର ଦ୍ୱାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ । ତେବେ ଚଳିତ ବର୍ଷ ଏହି ବିହନ ଓ ସାର ଚାଷୀଙ୍କ ନିକଟରେ ପହଂଚିପାରିନାହିଁ । ଫଳରେ ଚାଷୀ ନିଜ ସଂରକ୍ଷିତ ବିହନକୁ ନେଇ ଚାଷ କାମ ଅନୁକୁଳ କରିଛି ।

ଏନେଇ ଜିଲ୍ଲା କୃଷି ବିଭାଗର ଅଧିକାରୀ ସୁବ୍ରତ ରଥ କହିଛନ୍ତି ଯେ କରୋନା ଯୋଗୁଁ ଯୋଗାଣ ବ୍ୟବସ୍ଥା କିଛି ମାତ୍ରରେ ପ୍ରଭାବିତ ହୋଇଛି । ଏଣୁ ବିହନ ଏବଂ ସାର ପହଂଚିବାରେ ବିଳମ୍ବ ହୋଇଛି । ତେବେ ଆସନ୍ତା ୮-୧୦ ଦିନ ମଧ୍ୟରେ ବିହନ ପହଂଚିଯିବ । ତେବେ ବିହନ ବିଳମ୍ବ ହେବା ଓ ଚାଷକାମ ପ୍ରଭାବିତ ହେବା ଆଶଙ୍କାକୁ ସେ ଅସ୍ୱୀକାର କରିଛନ୍ତି । କହିଛନ୍ତି ଯେ ଜିଲ୍ଲାର ପ୍ରାୟ ୮୦-୯୦ ପ୍ରତିଶତ ଚାଷୀ ନିଜର ଧାନ ବିହନ ଉପରେ ହିଁ ନିର୍ଭର କରିଥାନ୍ତି । ଅପରପକ୍ଷରେ ଆଜି ଠାରୁ ପ୍ରାୟ ୧୫-୨୦ ଦିନ ଧରି ଚାଷୀ ନିଜ ଧାନ ବିଲରେ ବିହନ ବୁଣିଥାଏ । ଏଣୁ ଗୋଟିଏ ସପ୍ତାହ ବିଳମ୍ବରେ ବିଶେଷ ପ୍ରଭାବିତ ହେବନାହିଁ ।

ସମ୍ବନ୍ଧିତ ଖବର