ରାଉରକେଲା: ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ବେଗ ଧରିଲାଣି। ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇବାକୁ ଆବେଦନ ପ୍ରକ୍ରିୟା ଜୁନ ୧୯ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୪ରେ ଶେଷ ହୋଇଥିଲା। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶିତ ହେବାସହ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଶନିବାର ଦିନଠାରୁ ନାମଲେଖାଇବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୯ ତାରିଖ ଯାଏ ଚାଲିବ। ଆଜି ସହରର ନିର୍ଦ୍ଦିଷ୍ଟ କେତୋଟି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ନାଁ ଲେଖାଇଥିଲେ। ପ୍ରଥମ ଦିନରେ ସଂଖ୍ୟା ସାମାନ୍ୟ କମ୍‌ ଥିବାବେଳେ ସୋମବାର ଦିନ ଏହା ଆଶାତୀତ ବୃଦ୍ଧି ହେବ।
Advertisment
publive-image
ପ୍ରତିବର୍ଷ ଭଳି ଏଥର ମଧ୍ୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। କଳା ବର୍ଗର ବିଭିନ୍ନ ବିଷୟବସ୍ତୁ, ଯଥା-ଇଂରାଜୀ, ଓଡ଼ିଆ, ଭୂଗୋଳ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଶିକ୍ଷା, ସଂସ୍କୃତ ଇତ୍ୟାଦି‌ ହେଉ ଅବା ବିଜ୍ଞାନ ବର୍ଗର ବିଭିନ୍ନ ବିଷୟବସ୍ତୁ, ଯଥା-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ହେଉ; ସବୁଥିରେ ସରକାରୀ କଲେଜର କଟ୍‌ ଅଫ୍‌ ମାର୍କ ଅଧିକ ରହିଛି। ଏମିତିକି ବାଣିଜ୍ୟରେ ମଧ୍ୟ କଲେଜ ଆଗରେ ରହିଛି। ଏହା ପଛକୁ ମ୍ୟୁନିସିପାଲ କଳେଜ, ଇସ୍ପାତ କଲେଜ, ସୁଶୀଳାବତୀ ମହିଳା ମହାବିଦ୍ୟାଳୟ ଆଦି ରହିଛି। ଉଲ୍ଲେଖଯୋଗ୍ୟ, ମୋଟ୍‌ ୬ ଟି ପର୍ଯ୍ୟାୟରେ ନାମଲେଖା ହେବ। ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପନ୍ନ ହେବାପରେ ୨୭ ତାରିଖରେ ଦ୍ବିତୀୟ କଟ୍‌ ଅଫ୍‌ ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟର ନାମଲେଖା ଜୁଲାଇ ୨୯ରୁ ଅଗଷ୍ଟ ୨ ତାରିଖ ଯାଏ ଚାଲିବ। ତୃତୀୟ କଟ୍‌ ଅଫ୍‌ ତାଲିକା ଅଗଷ୍ଟ ୯ ତାରିଖରେ  ପ୍ରକାଶିତ ହେବାପରେ ୧୦ରୁ ୧୪ ଯାଏ ନାମଲେଖା, ଚତୁର୍ଥ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକା ଅଗଷ୍ଟ ୨୧ ତାରିଖରେ ପ୍ରକାଶିତ ହେବାପରେ ୨୨ରୁ ୨୫ ଯାଏ ନାମଲେଖା, ପଞ୍ଚମ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକା ସେପ୍ଟେମ୍ବର ୧ ତାରିଖରେ ପ୍ରକାଶିତ ହେବାପରେ ୨ରୁ ୫ ସେପ୍ଟେମ୍ବର ଯାଏ ନାମଲେଖା ଏବଂ ଶେଷ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶିତ ହୋଇ ୧୪ରୁ ୧୮ ସେପ୍ଟେମ୍ବର ଯାଏ ନାମଲେଖା ଚାଲିବ।